ଜୁନ ୧୨ ,୨୦୦୨ । ଆନ୍ନା ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ବିଦ୍ୟାର୍ଥୀମାନଙ୍କୁ ପାଠ ପଢାଉଥାନ୍ତି ବୈଜ୍ଞାନିକ ଡଃ. ଏ ପି ଜେ ଅବଦୁଲ କାଲାମ । ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଥାଆନ୍ତି ଅଟଳ ବିହାରୀ ବାଜେପୟୀ । ବାଜପେୟୀ ଆଉ କାଲାମଙ୍କ ଭିତରେ ଥାଏ ନିବିଡ ସମ୍ପର୍କ । ଉଭୟେ ଅବିବାହିତ । ଦେଶପାଇଁ ଉତ୍ସର୍ଗୀକୃତ ମଣିଷ ।
ବାଜପେୟୀ ଜୀ ନିଜେ କାଲାମ ଜୀଙ୍କୁ ଫୋନ ପରେ ଫୋନ କରୁଥାଆନ୍ତି । ଥରେ କି ୨ ଥର ନୁହେଁ ୧୪ ଥର ଫୋନ ହୋଇ ସାରିଲାଣି । ଅନ୍ନା ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟକୁ । ୧୪ ଥର ଲଗାତାର PMOରୁ ଫୋନ ଆସିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଆଚମ୍ବିତ ହୋଇପଡୁଥାନ୍ତି । ଇତିମଧ୍ୟରେ କୁଳପତି ପ୍ରାଧ୍ୟାପକ କଳାନିଧି ବିଚଳିତ ହୋଇ, ଦୌଡି ଯାଇ କଲାମଙ୍କୁ ଏ ସମ୍ପର୍କରେ ଜଣାନ୍ତି ।
ଏହି ଦୌଡା ଦୌଡି ଭିତରେ ବି ପାଠପଢାରୁ ବିଚ୍ୟୁତ୍ ହେଉ ନ ଥାନ୍ତି କଲାମ୍ । କଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାନରେ ବାଜିଲା । ଏଥର CMOରୁ ଫୋନ ଆସିଲା । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅନୁରୋଧ ବାର୍ତ୍ତା ପଠାଇଥାନ୍ତି । PMOରୁ ଯାହା ବି ସଙ୍କେତ ଆସିବ, କଲାମ ଜୀ ଆପଣ ନିର୍ଦ୍ୱନ୍ଦରେ ହଁ କରିବେ ।
କାଲାମ କୁଳପତିଙ୍କ କକ୍ଷକୁ ଆସୁ ଆସୁ ହଠାତ୍ ପୁଣି ରିଙ୍ଗ୍ ହେଲା ଫୋନ । ଫୋନରେ ଥିଲେ ପ୍ରଧାନମନ୍ତ୍ରୀ ବାଜପାୟୀ ଆଉ ଏପଟେ ଅବଦୁଲ କଲାମ । ସୌଜନ୍ୟମୂଳକ କଥାବାର୍ତ୍ତା ପରେ ବାଜପେୟୀଙ୍କ ସ୍ୱର ଭାସି ଉଠିଲା " ଆପଣ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ପଡ଼ିବ" ।
ଏ କଥା ଶୁଣି ସ୍ମିତହାସ୍ୟ ଦେଲେ କାଲାମ ଆଉ ଉତ୍ତର ଦେଲେ, " ମୋତେ ନିଷ୍ପତ୍ତି ଜଣାଇବା ପାଇଁ ଦୁଇ ଘଣ୍ଟା ସମୟ ଦେଇ ପାରିବେ?" ନମ୍ର କଣ୍ଠରେ ଅନୁରୋଧ କଲେ ଡ଼ଃ କାଲାମ ।
ଠିକ୍ ଅଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ବାଜପେୟୀ । ଠିକ୍ ଦୁଇ ଘଣ୍ଟା ପରେ ଡକ୍ଟର କାଲାମ ଦୂରଭାଷରେ କହିଥିଲେ ଯେ ଯଦି ସେ ସବୁ ରାଜନୈତିକ ଦଳର ସହମତି ଭିତ୍ତିରେ ପ୍ରାର୍ଥୀ ହେବେ, ତେବେ ତାଙ୍କର ଆପତ୍ତି ନାହିଁ । ପ୍ରଧାନମନ୍ତ୍ରୀ ବାଜପେୟୀ ତାହା ସ୍ୱୀକାର ପୂର୍ବକ ସେଥିପାଇଁ ସମସ୍ତ ରାଜନୈତିକ ଦଳର ନେତୃମଣ୍ଡଳୀଙ୍କ ସହିତ ଆଲୋଚନା କରିଥିଲେ ।
ସମସ୍ତଙ୍କର ଗୋଟିଏ ମତ, ଏଭଳି ବ୍ୟକ୍ତି ଭାରତର ରାଷ୍ଟ୍ରପତି ହେବା ଗୌରବର କଥା ।
ଯାହା ଫଳରେ ଜୁନ ୧୭ ତାରିଖ,୨୦୦୨ ମସିହାରେ ସମସ୍ତ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଡକ୍ଟର କାଲାମ ।
ଯେଉଁଠାରେ ବାଜପେୟୀ, ସୋନିଆ ଗାନ୍ଧୀଙ୍କ ସମେତ ଦେଶର ତମାମ ବଡ଼ ରାଜନେତା ଉପସ୍ଥିତ ଥିଲେ । ଆଉ ଦେଶ ପାଇଥିଲା ଜଣେ ମହାନ୍ ବୈଜ୍ଞାନିକଙ୍କୁ ତାର ରାଷ୍ଟ୍ରପତି ଭାବେ । ଆଜି ହେଉଛି ଡଃ କାଲାମଙ୍କ ମୃତ୍ୟୁ ବାର୍ଷିକୀ । ଆଜି ଦିନରେ ଏ ମହାନ ଜନନେତାଙ୍କୁ, ଦିବଙ୍ଗତ ମହାମହିମ ଭାରତର ରାଷ୍ଟ୍ରପତିଙ୍କୁ ଅର୍ଗସ ପରିବାର ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।