ତାମିଲନାଡୁର ରାମେଶ୍ୱରଠାରେ ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ଏକ ଗରିବ ମୁସଲିମ ପରିବାରରେ ଜନ୍ମ ନେଇଥିଲେ କଲାମ । ଗରିବ ପରିବାରର ଏହି ପିଲାଟି ଦିନେ ସାରାଦେଶ ପାଇଁ ଆଦର୍ଶ ଓ ଗୌରବର ଉଦାହରଣ ପାଲଟି ଯିବ ତାହା ହୁଏତ କେହିବି କଳ୍ପନା କରିନଥିବେ । ପିଲାଟିବେଳୁ ସଂଘର୍ଷରେ ଜୀବନ ଅତିବାହିତ କରିଥିବା କଲାମ ପରବର୍ତ୍ତୀ ସମୟରେ ଭାରତୀୟ ବିଜ୍ଞାନ ଜଗତର ମହାନାୟକ ପାଲଟି ଯାଇଥିଲେ । ମହାକାଶ ବିଜ୍ଞାନରେ ତାଙ୍କର ଅତୁଳନୀୟ ଦାନ ପାଇଁ ତାଙ୍କୁ 'ମିସାଇଲ ମ୍ୟାନ' ଆଖ୍ୟା ଦିଆଯାଇଥିଲା ।
ଭାରତର ଅନେକ କ୍ଷେପଣାସ୍ତ୍ରକୁ ସଫଳତାର ଶିଖରରେ ପହଞ୍ଚାଇବା ପଛରେ ଏହି ମହମାନବଙ୍କର ରହିଛି ବିଶେଷ ଭୂମିକା । କଲାମଙ୍କ ଚେଷ୍ଟାରେ ଭାରତ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଗଣାଗଲା । 50 ବର୍ଷରୁ ଅଧିକ ସମୟ ଧରି ସେ ଦେଶ ସେବା କରିଥିଲେ । ଯୁବପିଢୀଙ୍କ ପାଇଁ ସେ ଥିଲେ ଆଦର୍ଶ । ସବୁବେଳେ କୁନି କୁନି ପିଲାଙ୍କ ମଧ୍ୟରେ ଆଗାମୀ ଭବିଶ୍ୟତ ଦେଖୁଥିଲେ । ଏଥିପାଇଁ ପିଲାଙ୍କୁ ଜୀବନରେ ସଫଳ ହେବାକୁ ହେଲେ 5 ଟି ଜିନିଷରୁ ଦୂରେଇ ରହିବା ପାଇଁ କହିଥାନ୍ତି କଲାମ ।
ଅହଂକାର – ସଫଳ ହେବାକୁ ହେଲେ ଅହଂଙ୍କାରଠୁ ଦୂରେଇ ରୁହନ୍ତୁ । ଅହଂକାରୀ ବ୍ୟକ୍ତି ଜୀବନରେ ଉନ୍ନତି କରିପାରି ନଥାଆନ୍ତି । ସେ ସବୁବେଳେ ନିଜକୁ ବଡ଼ ଭାବି ଥାଆନ୍ତି । ଫଳରେ ସେମାନେ ସଫଳତାର ନିକଟତର ହୋଇ ପାରନ୍ତି ନାହିଁ ।
ଅତ୍ୟଧିକ ମୋହ – କୌଣସି ଜିନିଷ ପ୍ରତି ଅତ୍ୟଧିକ ମୋହ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ । ଅନେକ ଲୋକେ ମୋହ ପାଇଁ ଠିକ ଭୁଲର ବିଚାର କରିପାରନ୍ତି ନାହିଁ । ତେଣୁ ମୋହକୁ ଜଡ଼ତାର ପ୍ରତୀକ ବୋଲି ମଧ୍ୟ କୁହାଯାଏ ।
ଏକାଗ୍ରତାର ଅଭାବ – ଯାହା ନିକଟରେ ଏକାଗ୍ରତାର ଅଭାବ ଥାଏ, ତା’ର ମନ ସ୍ଥିର ରହିନଥାଏ । ତେଣୁ ସଫଳତା ପାଇଁ ଏକାଗ୍ରତା ଆବଶ୍ୟକ ।
କ୍ରୋଧ – ବହୁ ସମୟରେ ଏପରି ଦେଖାଯାଏ, ବ୍ୟକ୍ତିର ଇଚ୍ଛା ପୂରଣ ହୋଇନଥାଏ, ମନରେ କ୍ରୋଧ ଜାତ ହୋଇଥାଏ। କ୍ରୋଧକୁ ନିୟନ୍ତ୍ରଣ କରିବା ଦ୍ୱାରା ହିଁ ସଫଳତା ମିଳିଥାଏ । ତେଣୁ କ୍ରୋଧ କେବଳ କ୍ଷତି କରିଥାଏ ବୋଲି କୁହାଯାଏ ।
ଅଳ୍ପ ଜ୍ଞାନ – ଯେକୌଣସି କାର୍ଯ୍ୟରେ ସଫଳତା ପାଇବା ପାଇଁ ଗଭୀର ଜ୍ଞାନର ଆବଶ୍ୟକତା ରହିଥାଏ। ଅଳ୍ପ ବିଦ୍ୟା ସର୍ବଦା ସମସ୍ୟା ସୃଷ୍ଟି କରିଥାଏ ।
2015 ମସିହା ଆଜିର ଦିନରେ ମିସାଇନମ୍ୟାନଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ପରେ ତାଙ୍କର ସମ୍ପତ୍ତି କହିଲେ ଥିଲା ୨୫୦୦ ପୁସ୍ତକ, ଗୋଟାଏ ହାତ ଘଣ୍ଟା, ୬ଟି ସାର୍ଟ, ୪ଟି ଟ୍ରାଉଜର୍, ତିନୋଟି ସୁଟ୍ ଓ ହଳେ ଜୋତା । ଏହି ଉଚ୍ଚକୋଟିର ବ୍ୟକ୍ତିତ୍ୱକୁ କୋଟି କୋଟି ନମନ ।