ଯେଉଁମାନେ ଖାଇବା ସମୟରେ ଅତିରିକ୍ତ ଲୁଣ ବ୍ୟବହାର କରନ୍ତି, 75 ବର୍ଷ ବୟସ ପୂର୍ବରୁ ସେମାନଙ୍କ ମୃତ୍ୟୁ ଆଶଙ୍କା 28 ପ୍ରତିଶତ ଅଧିକ ରହୁଛି । ତୁଲେନ୍ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଦୀର୍ଘ 10 ବର୍ଷ ଧରି 5 ଲକ୍ଷରୁ ଉର୍ଦ୍ଧ୍ୱ ବ୍ରିଟେନ ବାସୀଙ୍କ ଉପରେ ଏକ ଅଧ୍ୟୟନ ପରେ ଏହା ଜଣାପଡିଛି ।
ଅତିରିକ୍ତ ଲୁଣ ଖାଇବା ଦ୍ୱାରା ରକ୍ତରେ ଜଳ ଧାରଣ ଆଶଙ୍କା ବଢେ । ଫଳରେ ରକ୍ତ ବାହିକା ଉପରେ ଚାପ ପଡେ ଏବଂ ରକ୍ତଚାପ ବୃଦ୍ଧିପାଏ । ଏହା ହୃଦ୍ ଘାତ କିମ୍ବା ଷ୍ଟ୍ରୋକ୍ ଆଶଙ୍କା ବଢାଏ । ଆଉ ଆପଣ ଜାଣିଥିବେ ଆଜିକାଲି ହୃଦ୍ ଘାତ ଜନିତ ମୃତ୍ୟୁସଂଖ୍ୟା ବଢୁଛି । ଷ୍ଟ୍ରୋକ୍ ଏବେ ମୃତ୍ୟୁର ସବୁଠୁ ବଡ କାରଣ ପାଲଟିଛି । ଆମେରିକା ଭଳି ଦେଶରେ ଏହି ମୃତ୍ୟୁ ଆଶଙ୍କା 5 ଗୁଣ ଅଧିକ ।
ବିଶେଷଜ୍ଞଙ୍କ କହିବାନୁଯାୟୀ, ବୟସ୍କମାନେ ଦିନକୁ 6 ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ । ପିଲାମାନେ ତା ଠୁ କମ୍ ଖାଇବା ଜରୁରୀ । ଲୁଣ ଆମ ଖାଦ୍ୟରେ ରହିଛି, କିନ୍ତୁ ଲୋକେ ଜାଣି ବି ଅତିରିକ୍ତ ଲୁଣ ଖାଉଛନ୍ତି । ଯାହା ଉଚ୍ଚ ରକ୍ତଚାପର କାରଣ ହୋଇଥାଏ । ଏହାସହ ସ୍ୱାସ୍ଥ୍ୟକର ଲୁଣ ଚୟନ କରିବା ଉଚିତ୍ । ଯେଉଁଥିରେ ସୋଡିୟମ୍ ମାତ୍ରା କମ୍ ଓ ପୋଟାସିୟମ୍ ଅଧିକ ରହିଛି । ଏବେ ଏହି ଲୁଣ ସହଜରେ ମିଳୁଛି ।