ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଶୁକ୍ରବାର ରାତିରେ ଏକ ଟ୍ରେନି ବିମାନର ଦୁର୍ଘଟଣା ଘଟିଛି । ଏହି ଦୂର୍ଘଟଣାରେ ମୁମ୍ବାଇର ବାସିନ୍ଦା ଟ୍ରେନି ପାଇଲଟ ଓ ଟ୍ରେନରଙ୍କ ମୃତ୍ୟୁ ଘଟିଛି । ତେବେ କୁହାଯାଉଛି ଯେ, ଶୁକ୍ରବାର ଦିନ ଏହି ଟ୍ରେନି ବିମାନ ଲ୍ୟାଣ୍ଡିଙ୍ଗ ସମୟରେ ଦୁର୍ଘଟଣାର ସିକାର ହୋଇଥିଲା । ଯେଉଁଥିରେ ଟ୍ରେନି ପାଇଲଟ ପିୟୁଷ ସିଂହ ଓ ପାଇଲଟ ଅଶୋକ ମକବାନା ଉପସ୍ଥିତ ଥିଲେ । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।
ପ୍ରାପ୍ତ ସୂଚନାନୁସାରେ ଏହି ଦୂର୍ଘଟଣା ସାଗରରୁ 14 କିଲୋମିଟର ଦୂର ଢାନା ଏୟାର ପୋର୍ଟ ନିକଟରେ ଘଟିଛି । ତେବେ ଘନ କୁହୁଡିକୁ ଦୂର୍ଘଟଣାର କାରଣ କୁହାଯାଉଛି । ଘନ କୁହୁଡି ପାଇଁ ପାଇଲଟଙ୍କୁ ରନଓ୍ୱେ ଦୃଶ୍ୟ ହୋଇନଥିଲା ଯାହାଦ୍ୱାରା ଏହି ଦୂର୍ଘଟଣା ଘଟିଥିଲା । ବିମାନଟି ଶୁକ୍ରବାର ରାତି 8.35 ମିନିଟ୍ରେ ଉଡାଣ ଭରିଥିଲା । ଏକାଡେମି ଅଫିସରଙ୍କ କହିବାନୁଯାୟୀ ଯେଉଁ ସମୟରେ ବିମାନ ଉଡାଣ ଭରିଥିଲା ସେ ସମୟରେ ଅଧିକ କୁହୁଡି ନଥିଲା । କିନ୍ତୁ ଉଡାଣ ଭରିବାର କିଛି ସମୟ ପରେ ଏତେ ମାତ୍ରାରେ କୁହୁଡି ଭରି ଯିବ ବୋଲି ପାଇଲଟ ଓ ଟ୍ରେନି ପାଇଲଟଙ୍କୁ ମଧ୍ୟ ଜଣାନଥିଲା ।
