ଏହି ଅଦ୍ଭୁତ ଘଟଣା ଘଟିଛି କେରଳ କୋଝିକୋଡରେ। ଏଠାରେ ରହୁଥିବା ଟ୍ରାନ୍ସଜେଣ୍ଡର କପଲ୍ ଜିଆ ଓ ଜହଦ ଏବେ ନିଜ ଘରକୁ ଆସିବାକୁ ଥିବା ନୂଆ ଅତିଥିକୁ ସ୍ୱାଗତ କରିବାକୁ ଅନାଇ ବସିଛନ୍ତି। ଦମ୍ପତ୍ତିଙ୍କ ମଧ୍ୟରୁ ଜହଦ ଜଣେ ପୁରୁଷ। ହେଲେ ସେ ଏବେ ଗର୍ଭଧାରଣ କରିଛନ୍ତି। ସେ ନିଜେ ହିଁ ଶିଶୁଟିର ବାପା ଓ ମା’ ବୋଲି କହିଛନ୍ତି। ଏପରି ଘଟଣା ଦେଶରେ ପ୍ରଥମ।
ଏବେ ଆସିବା ମୂଳ ପ୍ରସଙ୍ଗକୁ। ଏହି ଅସମ୍ଭବ ସମ୍ଭବ ହେଲା କେମିତି ? ଆପଣ ଏଇଆ ଭାବୁଥିବେ।
ଜହଦ ଝିଅ ରୂପେ ଜନ୍ମ ହୋଇଥିଲେ। କିନ୍ତୁ ଲିଙ୍ଗ ପରିବର୍ତ୍ତନ ପରେ ସେ ପାଲଟି ଯାଇଥିଲେ ପୁରୁଷ। ସେହିପରି ତାଙ୍କ ପତ୍ନୀ ଜିଆ ପୁଅ ରୂପେ ଜନ୍ମ ହୋଇଥିଲେ ବି ପରବର୍ତ୍ତୀ ସମୟରେ ଅସ୍ତ୍ରୋପଚାର ପରେ ମହିଳା ପାଲଟିଯାଇଥିଲେ। ପରସ୍ପରକୁ ଭଲ ପାଉଥିବାରୁ ସମାଜର ଟାହିଟାପରା ସତ୍ତ୍ୱେ ଉଭୟ ଲିଙ୍ଗ ପରିବର୍ତ୍ତନ କରି ବାହା ହେଲେ। ଜିଆ ଜଣେ ଡ୍ୟାନ୍ସର ହୋଇଥିବା ବେଳେ ଜହଦ ଏକ ଘରୋଇ କମ୍ପାନୀରେ ଜଣେ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି।
ବିବାହର କିଛି ବର୍ଷ ପରେ ଘରକୁ ଏକ କୁନି ଅତିଥି ଆଣିବାକୁ ଉଭୟଙ୍କ ମନ ବ୍ୟାକୁଳ ହେଲା। କୌଣସି ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଉଦ୍ୟମ କରି ସେମାନେ ବିଫଳ ହେଲେ। ଶେଷରେ ନିଜେ ଛୁଆ ଜନ୍ମ କରିବେ ବୋଲି ମନ ବଳାଇଲେ।
ଦିନେ ଜହଦ ଜଟିଳ ଅସ୍ତ୍ରୋପଚାର କରି ଝିଅରୁ ପୁଅ ହୋଇଥିଲେ। ଡାକ୍ତରଙ୍କୁ କହି ନିଜର ଦୁଇ ସ୍ତନକୁ କାଟି ବାହାର କରି ଦେଇଥିଲେ। କିନ୍ତୁ ଗର୍ଭାଶୟ ଓ ନାରୀଗତ କିଛି ଆଭ୍ୟନ୍ତରୀଣ ଅଙ୍ଗକୁ ଶରୀରରୁ ବାହାର କରାଯାଇ ନ ଥିଲା। ଯାହାର ସଦୂପଯୋଗ କରି ସେ ଗର୍ଭବତୀ ହୋଇଛନ୍ତି। ପତ୍ନୀ ଜିଆଙ୍କ ପ୍ରରୋଚନାରେ ପତି ଜହଦ ଏବେ ଗର୍ଭଧାରଣ କରିଛନ୍ତି।
ଏହା ଏକ ବିରଳ ଘଟଣା । ଜହଦଙ୍କ ପାଇଁ କୋଝିକୋଡ ମେଡିକାଲ କଲେଜ ପକ୍ଷରୁ ଡାକ୍ତରଙ୍କର ଏକ ଟିମ୍ ଗଠିତ ହେଲା। ଜହଦଙ୍କ ଚିକିତ୍ସା ଆରମ୍ଭ ହେବା ପରେ ସେ ଜିଆଙ୍କ ଔରସରୁ ଗର୍ଭବତୀ ହୋଇଛନ୍ତି। ଜିଆ ପୂର୍ବରୁ ପୁରୁଷ ଥିବା ବେଳେ ମେଡିକାଲ ସାଇନ୍ସର ଉପଯୋଗ କରି ତାଙ୍କ ଶୁକ୍ରାଣୁକୁ ଜହଦଙ୍କ ଗର୍ଭରେ ସ୍ଥାନିତ କରାଯାଇଛି। ଏବେ ଆଉ ମାତ୍ର ମାସକୁ ଅପେକ୍ଷା। ଘଟଣା ବାବଦରେ ଯିଏ ଶୁଣୁଛି ସିଏ କହୁଛି, ରାତିରେ ଉଡୁଛି କୁଆ, ଅଣ୍ଡିରି ପୁଅ ପେଟେରେ ଛୁଆ।
ଭାରତ ଖବର ଆହୁରି ପଢନ୍ତୁ