
ନୂଆଦିଲ୍ଲୀ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପରିବାର ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ଆଜି ସେ ଅହମଦାବାଦରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ସମ୍ବୋଧନ କରିବା ପରେ ଆଗ୍ରା ଗସ୍ତ କରିଥିଲେ। ଆଗ୍ରାରେ ସେ ତାଜମହଲ ପରିଦର୍ଶନ କରିବା ପରେ ଦିଲ୍ଲୀ ଫେରିଯାଇଛନ୍ତି। ଆଜି ତାଙ୍କର ଦିଲ୍ଲୀରେ ରହଣି କାର୍ଯ୍ୟକ୍ରମ ରହିଛି। ତେବେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମ୍ମାନର୍ଥେ ଭାରତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତାକାଲି ଏକ ରାତ୍ରୀଭୋଜନର ଆୟୋଜନ କରିଛନ୍ତି। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ମଧ୍ୟ ଉପସ୍ଥିତ ରହିବେ।
ଏହି କାର୍ଯ୍ୟକ୍ରମ ପାଇଁ କଂଗ୍ରେସ ଦଳର ଅନ୍ତରିମ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନିମନ୍ତ୍ରଣ ମିଳିନାହିଁ। ରାଷ୍ଟ୍ରପତିଙ୍କ ଦ୍ଵାରା ଆୟୋଜନ କରାଯାଇଥିବା ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ କିଛି ବଛା ବଛା ନେତାଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ଅଦ୍ୟକ୍ଷ ଓମ ବିର୍ଲା, ଓ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କୁ ଆମନ୍ତ୍ରିତ କରାଯାଇଛି। ଏତଦ୍ ବ୍ୟତୀତ ଏହି ଭୋଜନ କାର୍ଯ୍ୟକ୍ରମରେ ରାଜ୍ୟସଭା ଓ ଲୋକସଭାର ବିରୋଧୀ ଦଳ ନେତାଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି।

