ଜମ୍ମୁକାଶ୍ମୀର: ପୁଲୱାମା ଆକ୍ରମଣକୁ ପୁରିଲା ଦୁଇ ବର୍ଷ । ୨୦୧୯ ମସିହା ଫେବୃୟାରୀ ୧୪ରେ ହୋଇଥିଲା ଏହି ଆତ୍ମଘାତୀ ଆକ୍ରମଣ । ଏହି ଆକ୍ରମଣରେ କିଛି ଭାରତୀୟ ସୈନ୍ୟବାହିନୀଙ୍କୁ ନେଇ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ଏକ ପ୍ରତିରକ୍ଷା ବାହିନୀ ଗାଡ଼ିକୁ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ଦ୍ୱାରା ଜମ୍ମୁକାଶ୍ମୀରର ପୁଲୱାମା ଜିଲ୍ଲା ଅବନ୍ତିପୁରାଠାରେ ଆକ୍ରମଣ କରାଯାଇଥିଲା ।
ଏଥିରେ 40ଜଣ ସିଆରପିଏଫ ସୈନ୍ୟ ଶହୀଦ ହୋଇଥିଲେ। ପରେ ଏହି ଆକ୍ରମଣକୁ ପାକିସ୍ତାନରେ ଥିବା ଏକ ଇସଲାମ ସଙ୍ଗଠନ, ଜୈଶ-ଏ-ମହମ୍ମଦ ଘଟାଇଥିବା ଦାବି କରିଥିଲା । ଏହି ଆତଙ୍କବାଦ ଆକ୍ରମଣରେ ଶହୀଦ ହୋଇଥିବା 40 ଜଣ ସୈନ୍ୟମାନଙ୍କ ଭିତରେ ଦୁଇ ଓଡ଼ିଆ ଥିଲେ । ସେମାନେ ହେଲେ, ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ପଞ୍ଚାୟତର ପାରିଶିଖର ଗ୍ରାମର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ରତନପୁର ଗାଁର ମନୋଜ କୁମାର ବେହେରା । ୧୯୮୯ ପରଠାରୁ ଭାରତୀୟ ସେନାବାହିନୀ ଉପରେ ଏହା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ଥିଲା ।