୨୪ଘଣ୍ଟାରେ ୟୁକ୍ରେନ ଉପରେ ବଡଧରଣର ଆକ୍ରମଣ ଆଶଙ୍କା। ଏବେ ବି ଫସିଛନ୍ତି ୧୩ହଜାର ଭାରତୀୟ। ସେପଟେ ମୃତ ଛାତ୍ରଙ୍କ ପରିବାରଲୋକଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ୟୁକ୍ରେନ ଉପରେ ଆକ୍ରମଣ ପରେ ଭାରତୀୟ ନାଗରିକଙ୍କୁ ସୁରକ୍ଷାକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା, ତାହା ସତ ହୋଇଛି ।
ବଙ୍କରରେ ଲୁଚି ରହିଥିବା ଭାରତୀୟ ଛାତ୍ର ଜଣକ ଖାଦ୍ୟ ସଂଗ୍ରହ କରିବାକୁ ବାହାରକୁ ଆସିଥିବା ବେଳେ ଏହି ଅଘଟଣ ଘଟିଛି । ମୃତ ଛାତ୍ର କର୍ଣ୍ଣାଟକର, ତାଙ୍କ ପରିବାର ଲୋକଙ୍କ ସହ କଥା ହୋଇ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରଦୂତଙ୍କ ସହ ବୈଦେଶିକ ମନ୍ତ୍ରାଳୟ ସଚିବ କଥା ହୋଇ ଭାରତ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କହିଛନ୍ତି । ଆକ୍ରମଣର ଶିକାର ହେବା ପୂର୍ବରୁ ସକାଳୁ ସକାଳୁ ଘରକୁ ଫୋନରେ ଭିଡିଓ କଲ କରି କଥା ହୋଇଥିଲେ ନବୀନ । ଅତି ବିପଦଜନକ ଭାବେ ବଙ୍କର ଭିତରେ ରହିଥିବା କଥା ପରିବାର ଲୋକଙ୍କୁ କହିଥିଲେ । ପାଖରେ ଖାଦ୍ୟ ସରିଯାଇଥିବାରୁ ବାହାରକୁ ଯିବେ ବୋଲି କହିଥିଲେ । ହେଲେ ଅଚାନକ ଭାରତୀୟ ଦୂତାବାସରୁ ପୁଅର ମୃତ୍ୟୁ ଖବର ଆସିବା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ।