ଅର୍ଗସ ବ୍ୟୁରୋ: ଦେବଭୂମି ଉତ୍ତରାଖଣ୍ଡରେ ହିମସ୍ଖଳନ ଯୋଗୁଁ ଅଳକାନନ୍ଦା ଓ ଧଉଳିଗଙ୍ଗାରେ ଦେଖାଯାଇଥିବା ଆକସ୍ମିକ ବନ୍ୟାରେ ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି ପାଇଛି । ଏହାସହ ଘଟଣାରେ ନିଖୋଜଙ୍କ ସଂଖ୍ୟା ୨୦୨କୁ ବୃଦ୍ଧି ପାଇଥିବା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ନିଖୋଜଙ୍କୁ ଉଦ୍ଧାର କରିବା ଲାଗି ଆଇଟିବିପି, ସେନା, ଏନଡିଆରଏଫ ଓ ଏସଡିଆରଏଫ ପକ୍ଷରୁ ବ୍ୟାପକ ତଲାସ ଜାରି ରହିଛି ।
ଚାମୋଲି ଜିଲ୍ଲାର ତପୋବନ ସୁଡଙ୍ଗ ମଧ୍ୟରେ ମିଳିତ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ୨୫୦ ମିଟର ଲମ୍ବ ଏହି ଟନେଲରୁ ପଙ୍କ, କାଦୁଅ ବାହାର କରାଯାଇଛି । ଏହି ଟନେଲ ମଧ୍ୟରେ ୨୪-୨୫ ଜଣ ଶନିବାର ଠାରୁ ଫସି ରହିଥିବାବେଳେ ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ । ନିଖୋଜ ବ୍ୟକ୍ତିଙ୍କ ମଧ୍ୟରୁ ୧୭୦ଜଣ ଶ୍ରମିକ ଥିବା ଜଣାପଡିଛି । ଏହି ଶ୍ରମିକମାନେ ଏନଟିପିସି ଓ ଋଷିଗଙ୍ଗା ପାୱାର ପ୍ଲାଣ୍ଟରେ କାର୍ଯ୍ୟ କରୁଥିଲେ । ଉଦ୍ଧାର ମୃତଦେହ ମଧ୍ୟରୁ ମାତ୍ର ୨ଟିକୁ ଚିହ୍ନଟ କରାଯାଇଛି । ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ।