
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ଫାଶି ଉପରେ ରୋକ ନେଇ ଚାଲେଞ୍ଜ ପିଟିସନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ କରିବେ ଶୁଣାଣି । ପଟିଆଲା ହାଉସ କୋର୍ଟ ଶୁକ୍ରବାର ନିର୍ଭୟା ମାମଲାରେ ୪ ଦୋଷୀଙ୍କ ଫାଶି ଉପରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ରୋକ ଲଗାଇଥିଲେ। ପଟିଆଲା ହାଉସ କୋର୍ଟଙ୍କ ରାୟ ବିରୋଧରେ ଚ୍ୟାଲଞ୍ଜ କରି ତିହାର ଜେଲ କର୍ତ୍ତୃପକ୍ଷ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଏର କରିଛନ୍ତି।
ଦୋଷୀମାନେ ଆଇନର ଗଳାବାଟରୁ ଭରପୁର ଫାଇଦା ନେଉଛନ୍ତି ବୋଲି ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ । ସନିବାର ଅନ୍ୟତମ ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ଖାରଜ କରିଛନ୍ତି । ମାମଲାରେ ୪ ଦୋଷୀଙ୍କୁ ପ୍ରଥମେ ଜାନୁଆରି ୨୨ରେ ଫାଶି ଦେବାକୁ ଡେଥ୍ ଓ୍ୱାରେଣ୍ଟ ଜାରି ହୋଇଥିଲା।
ପରେ ମୁକେଶର ରାଜକ୍ଷମା ଆବେଦନ ଖାରଜ ହେବାରୁ ଫେବ୍ରୁଆରୀ ୧ ତାରିଖ ଫାଶୀ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଏହା ପୂର୍ବରୁ ଅନ୍ୟଜଣେ ଦୋଷୀ ବିନୟ ଶର୍ମା ରାଜକ୍ଷମା ଆବେଦନ କରିଥିଲା। ଏହାର ବିଚାର ହୋଇନଥିବାରୁ ଶୁକ୍ରବାର ପଟିଆଲା ହାଉସ କୋର୍ଟ ପରବର୍ତ୍ତୀ ଆଦେଶ ଯାଏ ଫାଶି ଟାଳି ଦେଇଥିଲେ।
