ମୋଦି ସରକାର ଋଷ ସହ ମିଶି 5 ଲକ୍ଷ AK 203 ରାଇଫଲ ଉତ୍ପାଦନ ପାଇଁ 5 ହଜାର ଶହେ କୋଟି ଟଙ୍କାର ପ୍ରକଳ୍ପକୁ ଅନ୍ତିମ ଅନୁମତି ପ୍ରଦାନ କରିଛନ୍ତି । ସୋମବାର ପ୍ରଧାନମନ୍ତ୍ରୀ ମୋଦି ଏବଂ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ଏହାର ଅନୁଷ୍ଠାନିକ ଘୋଷଣା କରିବେ। ଚୁକ୍ତି ଅନୁଯାୟୀ ଉତ୍ତରପ୍ରଦେଶ ଆମେଠିର କୋରୱା ସ୍ଥିତ ଇଣ୍ଡୋ-ରଷିଆନ୍ ରାଇଫଲ୍ ପ୍ରାଇଭେଟ୍ ଲିମିଟେଡ୍ ରେ ଏହି AK 203 ରାଇଫଲ ଉତ୍ପାଦନ କରାଯିବ। ଏହି ପ୍ରକଳ୍ପ ବିଭିନ୍ନ ଭାରତୀୟ ପ୍ରତିରକ୍ଷା ଶିଳ୍ପସଂସ୍ଥା ପାଇଁ ବ୍ୟବସାୟ ଓ ପରୋକ୍ଷରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ମେକ୍-ଇନ୍-ଇଣ୍ଡିଆକୁ ବଳ ଦେବ ।
ଗତ ବର୍ଷ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମୋସ୍କୋ ଗସ୍ତ ସମୟରେ ଦୁଇ ଦେଶ ବୁଝାମଣାକୁ ମଞ୍ଜୁରି ପ୍ରଦାନ କରିଥିଲେ। ଏହି ଅତ୍ୟାଧୁନିକ ଏକେ 203 ରାଇଫଲ ଗତ ତିନି ଦଶନ୍ଧି ପୂର୍ବେ ସେବାରେ ସାମିଲ ହୋଇଥିବା ଇନ୍ସାସ ରାଇଫଲର ସ୍ଥାନ ନେବ।
ଏହି ରାଇଫଲ ମିଳିବା ପରେ ଆତଙ୍କବାଦୀ ଏବଂ ଉଗ୍ରବାଦୀ ବିରୋଧୀ ଅଭିଯାନରେ ସେନାର ପରିଚାଳନା ଅଧିକ ପ୍ରଭାବୀ ହେବ । ସେପଟେ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଟୁ ପ୍ଲସ ଟୁ ଆଲୋଚନା ସହ 10ଟି ଗୁରୁତ୍ବପୂର୍ଣ୍ଣ ରାଜିନାମା ମଧ୍ୟ ହେବାର ଯୋଜନା ରହିଛି।