ଉତ୍ତରପ୍ରଦେଶର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଫେବୃୟାରୀ ୧୪ରେ ମତଦାନ ହେବାକୁ ଯାଉଛି । ୯ ଜିଲ୍ଲାର ୫୫ ଆସନରେ ଭୋଟିଂ ହେବ । ଏହି ପର୍ଯ୍ୟାୟରେ ମୋଟ ୫୮୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି ଭାଜପା, ଏସ୍ପି,ଆରଏଲଡି ମିଳିତ ମଞ୍ଚ, ବିଏସ୍ପି ଏବଂ କଂଗ୍ରେସ ମଧ୍ୟରେ ହେବ।
୨୦୧୭ରେ ଏସବୁ ଆସନ ମଧ୍ୟରୁ ଭାଜପା ଖାତାକୁ ୩୮ ଆସନ ଯାଇଥିଲା । ତେବେ ଚଳିତଥର ନିର୍ବାଚନରେ ଆହୁରି ଅଧିକ ଉତ୍ସାହର ସହିତ ଏହି ଜିଲ୍ଲାର ଅଧିବାସୀମାନେ ମତଦାନ କରିବେ ଓ ଭାଜପାକୁ ବିଜୟୀ କରିବେ ବୋଲି ବିଜେପି ତରଫରୁ ଆଶା କରାଯାଇଛି । ଏହାରି ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶର ରାଏ ବରେଲି ଠାରେ ନିର୍ବାଚନ ରାଲି କୁ ସମ୍ବୋଧନ କରିଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶର ସାହାରନପୁର, ରାମପୁର, ବିଜନୋର, ଆମରୋହା, ସମ୍ଭଲ, ମୋରାଦାବାଦ, ବରେଲି, ବଦାୟୁଂ ଏବଂ ଶାହାଜାହାନପୁରର ୫୫ ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଏହା ସହିତ ଫେବୃଆରୀ ୧୪ ମଧ୍ୟ ଉତ୍ତରାଖଣ୍ଡ ଓ ଗୋଆରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ସ୍ଵଚ୍ଛ ଏବଂ ଅବାଧ ନିର୍ବାଚନ ଲାଗି ବିଭିନ୍ନ ମତଦାନ କେନ୍ଦ୍ରଗୁଡିକୁ କର୍ମଚାରୀମାନଙ୍କୁ ପଠାଇବା କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି ।
ତେବେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ୟୁପିର ବିଭିନ୍ନ ନିର୍ବାଚନ କ୍ଷେତ୍ରରେ ଜନତାଙ୍କୁ ସମ୍ବୋଧିତ କରିଛନ୍ତି । ଫେବୃଆରୀ ୨୦ରେ ପଂଜାବରେ ନିର୍ବାଚନ ହେବାକୁ ଥିବାରୁ ଆଜି ଅମିତ ଶାହା ଲୁଧିଆନା ଠାରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି ।