ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ନାଗରିକତା ବିଧେୟକକୁ ମଞ୍ଜୁରି ପ୍ରଦାନ କରିବା ପରେ ଏହା ଆଇନ୍ରେ ପରିଣତ ହୋଇଛି । ଏବେ ଏହି ଆଇନ୍ ମାଧ୍ୟମରେ ଭାରତକୁ ଆସିଥିବା ଶରଣାର୍ଥୀଙ୍କୁ ବଡ଼ ଆସ୍ୱସ୍ତ ମିଳିବ । ପାକିସ୍ତାନ, ବାଙ୍ଗଳାଦେଶ, ଆଫଗାନିସ୍ତାନରୁ ଭାରତ ଆସିଥିବା ହିନ୍ଦୁ, ଜୈନ, ବୌଦ୍ଧ, ସିଖ୍, ଇସାଇ, ପାର୍ସି ଶରଣାର୍ଥୀଙ୍କୁ ଏବେ ସହଜରେ ଭାରତର ନାଗରିକତା ପ୍ରାପ୍ତ ହେବ । ଏହି ବିଲ୍କୁ ଗୃହମନ୍ତ୍ରୀ ଅମିତ ଶାହ ପ୍ରଥମେ ଲୋକସଭା ଓ ପରେ ରାଜ୍ୟସଭାରେ ଆଗତ କରିଥିଲେ । ଗୃହ ମଧ୍ୟରେ କିଛି ଘଣ୍ଟାର ଚର୍ଚ୍ଚା ପରେ ଏହା ପାସ୍ ହୋଇଥିଲା । ଲୋକସଭାରେ ମୋଦି ସରକାରଙ୍କ ବହୁମତ ଥିବାରୁ ଏହା ସହଜରେ ପାସ୍ ହୋଇଯାଇଥିଲା । କିନ୍ତୁ ରାଜ୍ୟ ସଭାରେ ଏହି ବିଲ୍କୁ କଡା ବିରୋଧର ସାମ୍ନା କରିବାକୁ ପଡିଥିଲା । ହେଲେ ଶେଷରେ ସରକାରଙ୍କୁ ସଫଳତା ମିଳିଥିଲା । ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଏହା ଏବେ ଆଇନ୍ରେ ପରିଣତ ହୋଇଛି । ତେବେ ନାଗରିକତା ସଂଶୋଧନ ବିଲ୍କୁ ନେଇ ବିରୋଧ କାହିଁକି ହେଉଛି ? ବର୍ତ୍ତମାନ ଏହି ନୂଆ ଆଇନ ଲାଗୁ ପରେ କଣ ପରିବର୍ତ୍ତନ ହେବାର ଅଛି ? ଚାଲନ୍ତୁ ଜାଣିବା ।
ନାଗରିକତା ସଂଶୋଧନ ବିଧେୟକ, 1955 ମସିହାର ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ବିଧେୟକ ଆଣିଥିଲେ । ବିଧେୟକଟି ଆଇନ୍ରେ ପରିଣତ ହେବା ସହିତ ଏଥିରେ ପରିବର୍ତ୍ତନ ହୋଇଛି । ଏବେ ଏହି ନୂଆ ଆଇନ୍ ମାଧ୍ୟମରେ ପାକିସ୍ତାନ, ବାଙ୍ଗଳାଦେଶ, ଆଫଗାନିସ୍ତାନରୁ ଭାରତକୁ ଆସିଥିବା ହିନ୍ଦୁ, ଜୈନ, ବୌଦ୍ଧ, ସିଖ୍, ଇସାଇ, ପାର୍ସି ଶରଣାର୍ଥୀଙ୍କୁ ଭାରତର ନାଗରିକତା ମିଳିବାରେ ସହଜ ହେବ । ତେବେ ନାଗରିକତା ସଂଶୋଧନ ବିଲ ନ ଆସିବା ପୂର୍ବରୁ ଏହି ଶରଣାର୍ଥୀଙ୍କୁ ଅବୈଦ୍ଧ ଶରଣାର୍ଥୀ ଭାବେ ଜଣାଯାଉଥିଲା ।
ତେବେ ପୂର୍ବରୁ ଭାରତର ନାଗରିକତା ହେବା ପାଇଁ 11 ବର୍ଷ ଭାରତରେ ରହିବା ବାଧ୍ୟତାମୂକ ଥିଲା । କିନ୍ତୁ ଏବେ ଏହି ସମୟକୁ କମ୍ କରି 6 ବର୍ଷ କରିଦିଆଯାଇଛି । ନୂଆ ନାଗରିକତା ଆଇନ୍ ଅନୁଯାୟୀ, ଏହି ସମସ୍ତ ଶରଣାର୍ଥୀ ଯେଉଁ ତାରିଖରୁ ଭାରତ ଆସିଛନ୍ତି ସେମାନଙ୍କୁ ସେହି ତାରିଖରୁ ଭାରତର ନାଗରିକତା ପ୍ରଦାନ କରାଯିବ । ତେବେ ସରକାରଙ୍କ ତରଫରୁ ଏକ କଟଅଫ୍ ଜାରି କରାଯାଇଛି, ଯାହାକି 31 ଡିସେମ୍ବର 2014ରେ ପ୍ରଥମେ ଆସିଥିବା ସମସ୍ତ ହିନ୍ଦୁ, ଜୈନ, ବୌଦ୍ଧ, ସିଖ, ଇସାଇ, ପାର୍ସି ଶରଣାର୍ଥୀଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବ ।
ମୋଦି ସରକାରଙ୍କ ଏହି ନୂଆ ଆଇନ୍କୁ ନେଇ ଆସାମାରେ ପ୍ରବଳ ବିରୋଧ କରୋଯାଉଛି । ଗୌହାଟି, ମେଘାଳୟ ସମେତ ଅନ୍ୟ କିଛି ରାଜ୍ୟରେ ଲୋକମାନେ ରାସ୍ତାରେ ହଡ଼ତାଳ କରିବା ସହ ଏହି ବିଲ୍କୁ ଫେରାଇ ନେବାକୁ ଦାବି କରୁଛନ୍ତି । ତେବେ ସରକାର ଆଇନ୍ କରିବା ସମୟରେ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ମେଘାଳୟ, ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁରର କିଛି ଅଞ୍ଚଳରେ ଏହି ନାଗରିକତା ଆଇନ୍ ଲାଗୁ କରାଯିବ ନାହିଁ । ସ୍ଥାନୀୟ ଲୋକଙ୍କ ଦାବି କାରଣରୁ କେନ୍ଦ୍ର ସରକାର ଏଠାରେ ଇନର ଲାଇନ୍ ପର୍ମିଟ୍ ଜାରି କରିଛନ୍ତି, ଯାହାଦ୍ୱାରା କି ଏଠାରେ ନାକରିକତା ନିୟମ ଲାଗୁ ହେବ ନାହିଁ । ପୂର୍ବତ୍ତୋର ରାଜ୍ୟର ଲୋକମାନଙ୍କ କହିବା କଥା ଯେ, ଯଦି ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବ ତାହାହେଲେ ଏଠାକାର ସଂସ୍କୃତି ଓ ପରମ୍ପରା ଉପରେ ପ୍ରଭାବ ପଡ଼ିବ, ଯେଉଁଥିପାଇଁ ଏହାର ବିରୋଧ କରାଯାଉଛି ।
