ପୂରାଣ ଅନୁଯାୟୀ ଯେତେବେଳେ ମହାଦେବ ଶଙ୍କର କୈଳାଶ ପର୍ବତ ଉପରେ ସମାଧିରେ ଲୀନଥିଲେ, ସେତେବେଳେ ତାରକାସୂରକୁ ବଦ୍ଧ କରିବା ପାଇଁ କାମଦେବ ଏବଂ ତାଙ୍କ ପତ୍ନୀ ରତି ମହାଦେବଙ୍କ ଧ୍ୟାନ ଭଗ୍ନ କରିବାକୁ ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହି ପତି ପତ୍ନୀଙ୍କ ନୃତ୍ୟରେ ମହାଦେବଙ୍କ ଧ୍ୟାନ ଭଗ୍ନ ହୋଇଯାଇଥିଲା, ଏବଂ ସେ କ୍ରୋଧର ଅଗ୍ନୀରେ କାମଦେବଙ୍କୁ ଭସ୍ମ କରିଦେଇଥିଲେ । ରତି ପ୍ରାୟଶ୍ଚିତ ପାଇଁ ମହାଦେବଙ୍କ ପାଖରେ ବିଳାପ କରିଥିଲେ। ଆଉ ଏହାପରେ ଦୟାଳୁ ପ୍ରଭୁ ଶଙ୍କର ତାଙ୍କୁ ପୁନଃ ଜନ୍ମ ଦେଇଥିଲେ । ଏଥିରେ କାମଦେବ ପ୍ରସନ୍ନ ହୋଇ ଏକ ବ୍ରହ୍ମାଭୋଜନର ଆୟଜନ କରିଥିଲେ । ଯେଉଁଥିରେ ଅନେକ ଦେବାଦେବୀ ଉପସ୍ଥିତ ଥିଲେ । ଏବଂ ମା ରତି ସମସ୍ତଙ୍କୁ ଚନ୍ଦନ ଟୀକା ଲଗେଇ ଦେଇଥିଲେ । ଏହାପରେ ସେଠାରେ ନୃତ୍ୟଗୀତ ପରିବେଷଣ କରାଯାଇଥିଲା । ସେଦିନ ଫାଲଗୁନ ପୂର୍ଣ୍ଣିମା ଥିଲା । ସେବେଠାରୁ ମର୍ତ୍ତ୍ୟମଣ୍ଡଳରେ ଏହିଦିନ ହୋଲି ପର୍ବ ପାଳନ କରାଯିବା ସହ ଦେବୀ ଦେବତାଙ୍କୁ ପୂଜା କରାଯାଏ । ହୋଲି ଖେଳିବା ପୂର୍ବରୁ ସବୁ ଦେବତାଙ୍କ ଚରଣରେ ହୋଲିର ରଙ୍ଗ ସମର୍ପିତ କରାଯିବା ପରେ ହୋଲି ଖେଳାଯାଇଥାଏ ।