କେନ୍ଦ୍ର ସରକାର ଯଦି ରବରର ସଂଗ୍ରହ ମୂଲ୍ୟ କିଲୋଗ୍ରାମ୍ ପିଛା ୩୦୦ ଟଙ୍କାକୁ ବୃଦ୍ଧି କରିବେ ତେବେ କେରଳରେ ବିଜେପିର ଯେଉଁ ସାଂସଦ ମରୁଡ଼ି ଦେଖାଦେଇଛି ତାହା ଦୂର ହୋଇପାରିବ। ଗଣତନ୍ତ୍ରରେ ପ୍ରତିବାଦର କିଛି ମୂଲ୍ୟ ନାହିଁ। ମୂଲ୍ୟ ଅଛି ତ ନିର୍ବାଚନର ଭୋଟର। ଏମିତି କଥା କହି ଚର୍ଚ୍ଚାକୁ ଆସିଛନ୍ତି ସାଇରୋ-ମାଲାବାର କ୍ୟାଥଲିକ ଚର୍ଚ୍ଚର ବିଶପ ମାର ଜୋସେଫ। କୃଷକମାନେ ଯୋଗ ଦେଇଥିବା ଏକ ବୈଠକରେ ଜୋସେଫଙ୍କ ଏହି ବିବୃତ୍ତି ବିଜେପି ସପକ୍ଷରେ ଯାଉଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ନିଜ ବିବୃତ୍ତିରେ ବିସପ କହିଛନ୍ତି, ‘ଆମେ କେନ୍ଦ୍ର ସରକାରଙ୍କୁ କହିବୁ, ତୁମର ଯେଉଁ ଦଳ ହୋଇଥାଉ ନା କାହିଁକି, ତୁମେ ଯଦି ରବର ମୂଲ୍ୟ ୩୦୦ ଟଙ୍କାକୁ ବୃଦ୍ଧି କରିପାରିବ, ତେବେ ଆମେ ତୁମକୁ ଭୋଟ ଦେବୁ। ଏଠାରେ ବାହାରୁ ଆସି ରହୁଥିବା ଲୋକମାନେ ତୁମର ସାଂସଦ ଅଭାବ ସମସ୍ୟାକୁ ଦୂର କରିବେ।’’
ଅପରପକ୍ଷେ କେରଳର ବାମପନ୍ଥୀ ଓ କଂଗ୍ରେସ ସରକାର ଖ୍ରୀଷ୍ଟିଆନମାନଙ୍କୁ ଭୋଟବ୍ୟାଙ୍କ ଭଳି ବ୍ୟବହାର କରୁଥିବା କଥା ମଧ୍ୟ ଉଠିଛି। ଏଣୁ ବିଶପଙ୍କ ଉକ୍ତ ଭାଷଣକୁ ବିଜେପି ସହୃଦୟତାର ସହ ସ୍ବାଗତ କରିଛି।