ଅର୍ଗସ ବ୍ୟୁରୋ: କରୋନା ମହାମାରୀ ବିରୋଧରେ ଦେଶର ଲୋକମାନେ ଲଢିଥିବା ଲଢେଇରେ ଦେଶକୁ ସଫଳତା ମିଳିଛି। ଏହି ମହାମାରୀ ବିରୋଧରେ ଲଢିବା ଦେଶବାସୀଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ଥିଲା ବୋଲି ଏକ ହେଲଥ ୱେବିନାରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଭାରତ ଯୋଜନାବଦ୍ଧ ଭାବେ ଲଢି ଏଭଳି ମହାବିପଦରୁ ରକ୍ଷା ପାଇ ପାରିଛି ।
ହେଲଥ ୱେବିନାରକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଆବଣ୍ଟିତ ହୋଇଥିବା ଅର୍ଥକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚଳିତ ବଜେଟରେ ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ଆବଣ୍ଟିତ ହୋଇଥିବା ଅର୍ଥ ବେଶ ଉତ୍ସାହଜନକ। ଆବଣ୍ଟିତ ହୋଇଥିବା ଅର୍ଥ ମାଧ୍ୟମରେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ମିଳିପାରିବ ।
ଏହାସହ ଆଗକୁ ଭାରତ କିଭଳି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଶ୍ୱରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ ସେ ନେଇ ୪ ଟି ସ୍ତରରେ କାର୍ଯ୍ୟ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି।