ଏହି ଅବସରରେ ଏମ୍ସ ଭୁବନେଶ୍ୱର ଇଏନ୍ଟି ବିଭାଗ ମୁଖ୍ୟ ଡ. ପି କେ ପରିଡ଼ା ସୂଚନା ଦେଇଛନ୍ତି ଯେ ଏମ୍ସ ଭୁବନେଶ୍ୱରରେ ନବଜାତ ଶିଶୁଙ୍କ ଯେକୌଣସି ଶ୍ରବଣ ଶକ୍ତିକୁ ନେଇ ରହିଥିବା ସମସ୍ୟାର ଚିହ୍ନଟ ଏବଂ ନିରାକରଣ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପିଚ୍ ଆଣ୍ଡ୍ ହିୟରିଙ୍ଗ୍, ମହୀଶୁର୍ର ମିଳିତ ସହଯୋଗରେ ଏହି ବ୍ୟବସ୍ଥା କାର୍ଯ୍ୟ କରୁଛି। ଜନ୍ମର ୪୮ ଘଣ୍ଟା ମଧ୍ୟରେ ନବଜାତଙ୍କ ଉପରେ ଏହି ପଦ୍ଧତି ଅବଲମ୍ବନ କରାଯାଇଥାଏ। ଏଥିସହିତ ଇଏନ୍ଟି ବିଭାଗ ପକ୍ଷରୁ ୨୦୧୫ରୁ ଆଜି ପର୍ଯ୍ୟନ୍ତ ୧୭୫ଟି କକ୍ଲିଆର୍ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳତାର ସହିତ କରାଯାଇଛି। କକ୍ଲିଆର୍ ପ୍ରତିରୋପଣ ପୂର୍ବରୁ ରୋଗୀର ଶ୍ରବଣ ଶକ୍ତି ପ୍ରାୟତଃ ନଷ୍ଟ ହୋଇଯାଥାଏ। ମାତ୍ର ଏମ୍ସ ଇଏନ୍ଟି ବିଭାଗ ପକ୍ଷରୁ ଏପରି ସଫଳ ପ୍ରତିରୋପଣ କରାଯାଇ ସେମାନଙ୍କୁ ପୁନର୍ବାର ଶୁଣିବାର ସୁଯୋଗ ପ୍ରଦାନ କରାଯାଉଥିବା ବିଭାଗୀୟ ମୁଖ୍ୟ ଡ. ପରିଡ଼ା ପ୍ରକାଶ କରିଛନ୍ତି। ଏହି ଅସ୍ତ୍ରୋପଚାର ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସକେ) ମାଧ୍ୟମରେ ଦିବ୍ୟାଙ୍ଗ ଏବଂ ଅନ୍ୟମାନଙ୍କୁ ବିଭିନ୍ନ ସହାୟତା ଉପକରଣ କ୍ରୟ / ଫିଟିଂ ପାଇଁ ଯୋଗାଇ ଦିଆଯାଇଥାଏ। ଏହା ବ୍ୟତୀତ ଅତ୍ୟାଧୁନିକ ଜ୍ଞାନକୌଶଳ ସହାୟତାରେ ସମସ୍ତ ପ୍ରକାରର କାନ ସର୍ଜରୀ କରାଯାଏ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଏମ୍ସ ଭୁବନେଶ୍ୱର ଡିନ୍ ଡ. ଦେବାଶିଷ ହୋତା, ଡ. ପି କେ ପରିଡା, ଡ. ସି ପ୍ରୀତମ୍, ଡ. ସୌରଭ ସରକାର, ଡ. ପ୍ରଦୀପ ପ୍ରଧାନ, ଡ. ଦିଲୀପ ସାମଲ ଏବଂ ଅଡିଓୋଲୋଜିଷ୍ଟ ଅସିତ ଶାହ ଏବଂ ସାର୍ଗା ସୁଶାନ୍ତଃ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ କକ୍ଲିଆର୍ ପ୍ରତିରୋପଣ ମାଧ୍ୟମରେ ଶ୍ରବଣ ଶକ୍ତି ଫେରିପାଇଥିବା ହିତାଧିକାରୀମାନେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିବା ସହିତ ଜୀବନରେ ଆଉ କେବେ ଶୁଣିନପାରିବାର ହତାଶାରୁ ପୁନର୍ବାର ଶ୍ରବଣ ଶକ୍ତି ଫେରିପାଇବାର ଖୁସି ଜାହିର୍ କରିଥିଲେ। ଏମ୍ସ ଭୁବନେଶ୍ୱର ଇଏନ୍ଟି ବିଭାଗର ଡାକ୍ତରମାନଙ୍କୁ ପ୍ରଶଂସା କରିଥିଲେ ହିତାଧିକାରୀ