ନୂଆଦିଲ୍ଲୀ/ଭୁବନେଶ୍ୱର: ଉର୍ଜା କ୍ଷେତ୍ରରେ ଉପଲବ୍ଧି ଏବଂ ସୁଲଭ ଦରରେ ସନ୍ତୁଳନ ଆଣି ଭାରତ ଉର୍ଜା ନ୍ୟାୟର ଏକ ବିଶ୍ୱ ମଡ଼େଲ ତିଆରି କରୁଛି ଏବଂ ସବୁଜ ଉର୍ଜା ରୂପାନ୍ତରଣ ପାଇଁ ନିଜର ଋଣନୀତି ଓ ପଥ ମଧ୍ୟ ପ୍ରସ୍ତୁତ କରୁଛି ବୋଲି ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଆୟୋଜିତ ୧୧ତମ ବିଶ୍ୱ ପେଟ୍ରୋକୋଲ କଂଗ୍ରେସ ଓ ବିଶ୍ୱ ଭବିଷ୍ୟତ ଇନ୍ଧନର ସମ୍ମିଳନୀ ୨୦୨୧ରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ଉର୍ଜା ଚାହିଦା ଭବିଷ୍ୟତରେ ବୃଦ୍ଧି ପାଇବ ଏବଂ ଏହି ଦୃଷ୍ଟିରୁ ସବୁଜ ଉର୍ଜା ପଥ ଆପଣାଇବା ତଥା ପ୍ରଦୂଷଣ ହ୍ରାସ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ଆନ୍ତର୍ଜାତୀୟ ଉର୍ଜା ସଂସ୍ଥା(ଆଇଇଏ), ଓପେକ ଏବଂ ବ୍ରିଟିଶ ପେଟ୍ରୋଲିୟମ ରିପୋର୍ଟ ଦର୍ଶାଉଛି ଯେ ବିଶ୍ୱର ମୋଟ ପ୍ରାଥମିକ ଉର୍ଜାର ଚାହିଦା ୨୦୪୦ ସୁଦ୍ଧା ବାର୍ଷିକ ୧ ପ୍ରତିଶତରୁ କମ ବୃଦ୍ଧି ପାଇପାରେ । କିନ୍ତୁ ଅପରପକ୍ଷରେ ଭାରତର ଉର୍ଜା ଚାହିଦା ୨୦୪୦ ପର୍ଯ୍ୟନ୍ତ ବାର୍ଷିକ ୩ ପ୍ରତିଶତ ବୃଦ୍ଧି ପାଇବାର ଆକଳନ କରାଯାଇଛି । ଉର୍ଜା ନ୍ୟାୟକୁ ଶେଷ କରିବା ପାଇଁ ଦେଶର ସବୁ ଘରକୁ ସ୍ୱଚ୍ଛ ଇନ୍ଧନ ପହଁଚାଇବା ମୋଦି ସରକାରଙ୍କ ଋଣନୀତିର ଏକ ଚାବିକାଠି ହୋଇଛି । ବିଗତ ୬ବର୍ଷରେ ଦେଶରେ ଏଲପିଜି ଦୃଶ୍ୟପ ସମ୍ପୂର୍ଣ୍ଣ ଭାବରେ ପରିବର୍ତିତ ହୋଇଛି । ୨୦୧୪ରେ ଏଲପିଜି ଉପଭୋକ୍ତା ୧୪.୫କୋଟି ଥିଲା ବେଳେ ୨୦୨୧ସୁଦ୍ଧା ଏହା ବୃଦ୍ଧି ପାଇଁ ୨୯ କୋଟିରେ ପହଁଚିଛି । ବହୁତ କମ୍ ବର୍ଷ ମଧ୍ୟରେ ଏଲପିଜି କଭରେଜ୍ ୫୬ ପ୍ରତିଶତରୁ ବଢି ୯୯.୫ ପ୍ରତିଶତ ହୋଇଛି । ରେକର୍ଡ ସମୟରେ ଉଜ୍ଜଳା ଯୋଜନାରେ ୮କୋଟି ବିପିଏଲ ପରିବାରକୁ ଗ୍ୟାସ ଦିଆଯାଇଛି । ଉଜ୍ଜଳା ଯୋଜନା ମହିଳାଙ୍କ ସାମାଜିକ ଓ ଅର୍ଥନୀତିକୁ ପରିବର୍ତନ କରିବା ସହ ସଶକ୍ତିକରଣ ମଧ୍ୟ କରିଛି ।
ସେହିପରି ଚଳିତ ସାଧାରଣ ବଜେଟରେ ଉଜ୍ଜଳା ଯୋଜନାରେ ଆଉ ୧କୋଟି ଅଧିକ ହିତାଧିକାରୀଙ୍କୁ ଯୋଡ଼ିବା ଘୋଷଣା ହେବାଦ୍ୱାରା ଏହା ସର୍ବଭାରତୀୟ ସ୍ତରରେ କଭରେଜ୍ ହାସଲ କରିବାରେ ସହାୟକ ହେବ । ସେହିପରି ବିଏସ-୬ ଭଳି ସ୍ୱଚ୍ଛ ଇନ୍ଧନ ଉତ୍ପାଦନ କରିବା ପାଇଁ କାରଖାନା ଗୁଡ଼ିକରଉନ୍ନତିକରଣ ପାଇଁ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକ ୩୪ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିଛନ୍ତି । ଏହା ସହ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ତଥାଗ୍ୟାସ ଭିତିଭୂମିକୁମଜବୁତ୍ କରିବା ସ୍ୱରୂପ ୬୦ ବିଲିୟନ ଆମେରିକୀୟ ଡ଼ଲାର ଖର୍ଚ୍ଚ କରାଯାଉଛି ବୋଲି ସେ କହିଛନ୍ତି ।