ଭୁବନେଶ୍ଵର: ବଦଳିବ ପାଗ। ରାଜ୍ୟରେ ଆସନ୍ତାକାଲି ସଂଧ୍ୟାଠୁ ବର୍ଷା ସମ୍ଭାବନା। ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତାକାଲି ସମ୍ବଲପୁର, ନୂଆପଡା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡର କିଛି ସ୍ଥାନରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ୧୭ରେ ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, ଭଦ୍ରକ ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ । ଏ ନେଇ ୧୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣି ଜାରି ହୋଇଛି ।
ୟେଲୋ ଓ୍ବାର୍ଣ୍ଣ ଜାରି ହୋଇଥିବା ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ବର୍ଷାଯୋଗୁ ଆଗାମୀ ୩,୪ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ରାଜ୍ୟରେ ଗତ 24ଘଣ୍ଟା ଭିତରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 11.0 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିଭଳି ରାଜ୍ୟର କିଛି ସ୍ଥାନକୁ ଛାଡିଦେଲେ ଅନ୍ୟାନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ସ୍ବଭାବିକ ରହିଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି ।