ଅର୍ଗସ ବ୍ୟୁରୋ : ଆହୁରି 4 ଦିନ ଥରାଇବ ଜାଡ଼ । ରାଜ୍ୟରେ କମିବ ତାପମାତ୍ରା, ବଢିବ ଶୀତ । ପ୍ରବଳ ଥଣ୍ଡା ଅନୁଭୂତ ହେବା ନେଇ 6 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହି ଜିଲ୍ଲା ଗୁଡିକ ହେଲା- ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ, ଅନୁଗୋଳ, ବୌଦ୍ଧ ଓ କନ୍ଧମାଳ । ତେବେ ଆସନ୍ତା 24 ଘଣ୍ଟାରେ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହେବ ନାହିଁ । ଅନ୍ୟପଟେ ଆସନ୍ତାକାଲି ସକାଳୁ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ 3ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ଓ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା 2ରୁ 3 ଡିଗ୍ରି ହ୍ରାସ ଘଟିବ ବୋଲି ପାଣିପାଗ କେନ୍ଦ୍ର କହିଛି ।
ତେବେ ଗତ 24 ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା । ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ 1ରୁ 2 ଡିଗ୍ରି ପର୍ଯ୍ୟନ୍ତ କମ ରହିଥିଲା । ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ 5.5 ଡିଗ୍ରି ରେକର୍ଡ ହୋଇଛି । ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା 15.2 ଡିଗ୍ରି ରହିଥିଲା । ଆସନ୍ତାକାଲି ବି ରାଜଧାନୀର ତାପମାତ୍ରା 15 ଡିଗ୍ରି ପାଖାପାଖି ରହିବ । ଏହାପରେ 3 ଦିନ ପର୍ଯ୍ୟନ୍ତ 2 ଡିଗ୍ରି ହ୍ରାସ ଘଟିବ ।