ବାଲେଶ୍ୱର: କେନ୍ଦ୍ର ସରକାର ଏବେ ବିଦ୍ୟୁତ ଚାଳିତ ବସ୍,ବାଇକ୍ ଓ କର ଆଦି ଉପରେ ଅଧିକ ଫୋକସ୍ କରୁଛନ୍ତି । କାରଣ ବିଦ୍ୟୁତ ଚାଳିତ ଗାଡ଼ି ଦ୍ୱାରା ପରିବେଶ ପ୍ରଦୁଷଣ ହେବାକୁ ରୋକା ଯାଇପାରିବା ସହ ଶବ୍ଦ ପ୍ରଦୁଷଣ ମଧ୍ୟ ହେବ ନାହିଁ । ଏମିତିକି ପେଟ୍ରୋଲ ବା ଡିଜେଲ ଖର୍ଚ୍ଚରୁ ମଧ୍ୟ ରକ୍ଷା ମିଳିବ । ତେବେ ଏଥିପାଇଁ ବଡ଼ ବଡ଼ କମ୍ପାନୀମାନେ ବିଦ୍ୟୁତ ଚାଳିତ ଗାଡ଼ି ତିଆରି କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ବଜାରରେ ମଧ୍ୟ ବଦ୍ୟୁତ ଗାଡ଼ି ସହଜରେ ମିଳୁଛି ।
ହେଲେ ଏମିତି ଜଣେ ବ୍ୟକ୍ତି ଯିଏ, ପେଶାରେ ଜଣେ ଘଣ୍ଟା ମେକାନିକ୍ । ଆଉ ନିଜ ଉଦ୍ୟମ ଓ ବୁଦ୍ଧିମତା ଯୋଗୁଁ ନିଜେ ତିଆରି କରିଛନ୍ତି ବ୍ୟାଟେରୀ ଚାଳିତ ବାଇକ୍ । ବଜାରରୁ ଗାଡ଼ିର ବିଭିନ୍ନ ପାର୍ଟ୍ସ କିଣି ସେ ନିଜେ ଏକ୍ସପେରିମେଣ୍ଟ କରି ଏହି ଗାଡ଼ିକୁ ତିଆରି କରିଛନ୍ତି । ସେ ପ୍ରସ୍ତୁତ କରିଥିବା ବ୍ୟାଟେରୀ ଗାଡ଼ିଟି ଘଣ୍ଟା ପ୍ରତି 90 କିଲୋମିଟର ସ୍ପିଡ୍ରେ 280ରୁ 290 କିଲୋମିଟର ଯାତ୍ରା କରିପାରିବାର କ୍ଷମତା ରଖିଛି । ଆଉ ଏଥିପାଇଁ ଗାଡ଼ିଟିକୁ ମାତ୍ର ଅଧ ଘଣ୍ଟାର ଚାର୍ଜ କରିବାକୁ ପଡ଼ିଥାଏ । ଗାଡ଼ି ପାଇଁ ସେ ଯେଉଁ 35 ଆମ୍ପିୟରର ବ୍ୟାଟେରୀ ବ୍ୟବହାର କରିଛନ୍ତି ତାହା ସେ ଚାଇନାରୁ ମଗାଇଥିବା ଜଣାପଡ଼ିଛି । ସେ ବାଇକରେ ଜିପିଆଏସ୍ ଟ୍ରାକିଂ ସିଷ୍ଟମ୍ ମଧ୍ୟ ଲଗାଇଛନ୍ତି । ଫଳରେ ବାଇକ୍ ଚୋରି ହେଲେ ତାହା ସହଜରେ ଠାବ କରାଯାଇପାରିବ । ଏହି ଗାଡ଼ି ନିର୍ମାଣ କରି ଯୁବକ ଜଣ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।
ଏହି ଯୁବକ ଜଣକ ହେଉଛନ୍ତି, ବାଲେଶ୍ୱର ସୋର ବ୍ଳକ ଅନ୍ତର୍ଗତ ରଘୁନାଥପୁର ଗଞ୍ଜ ଗାଁର ଭାରତ ଭୂଷଣ ଦାସ । ଘଣ୍ଟା ମେକାନିକରୁ ବିଦ୍ୟୁତ ଚାଳିତ ବାଇକ ଉଦ୍ଭାବକ । ୨୦୦୨ ମସିହାର ଏକ ପୁରୁଣା ବାଇକକୁ ରଙ୍ଗ ଦେଉଥିବା ସମୟରେ ବିଦ୍ୟୁତରେ କିପରି ବାଇକ ଚାଲିବ ସେନେଇ ଚିନ୍ତା କରିଥିଲେ । ଏହାପରେ ସେ ପେଟ୍ରୋଲ ପମ୍ପରେ ଗାଡ଼ି ଚାର୍ଜ ହେଉଥିବା ଦେଖିବାକୁ ପାଇଥିଲେ । ପରେ ପ୍ରାୟ ମାସେ କାଳ ପରିଶ୍ରମ କରିବା ପରେ ଇଲେକ୍ଟ୍ରିକ ବାଇକ ନିର୍ମାଣ କରିଛନ୍ତି । ବାଇକରେ ପ୍ରାୟ 1 ଲକ୍ଷ 20 ହଜାର ଟଙ୍କା ସେ ଖର୍ଚ୍ଚ କରିଥିବା ଜଣାପଡ଼ିଛି ।