ଇଞ୍ଜିନିୟରିଂ ପାଠ ପଢ଼ିସାରି ଠେକୁଆ ଚାଷ କଲେ, ଆଉ ସଫଳ ମଧ୍ୟ ହେଲେ । ପଢ଼ା ସାରି ବଡ଼ ଚାକିରି ପଛରେ ପଡ଼ିନଥିଲେ । କିମ୍ବା ମୋଟା ଅଙ୍କର ଦରମା ଆଶାରେ ରହିନଥିଲେ । ଚାକିରି କଥା ଭୁଲି ଠେକୁଆ ଚାଷ ପ୍ରତି ମନ ବଳାଇଲେ । ଆଉ ସେଥିରେ ସଫଳ ହୋଇ ବେଶ ଭଲ ରୋଜଗାର ମଧ୍ୟ କଲେ । ଖାଲି ସେତିକି ନୁହେଁ ନିଜ ଭଳି ଅନ୍ୟମାନଙ୍କୁ କିଭଳି ଏଥିରେ ସାମିଲ କରି ରୋଜଗାରକ୍ଷମ କରିବେ ଓ ଲାଭବାନ ହୋଇପାରିବେ ତାହା ଉପରେ ମଧ୍ୟ ଅଧିକ ଧ୍ୟାନ ଦେଲେ ।
ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ରତନପୁର ଗ୍ରାମ ପଂଚାୟତର ତାଳଡିହି ଗ୍ରାମର ଆଲୋକ କୁମାରଙ୍କ କଥା । ଇଂଜିନିୟରିଂ ପାଠ ସାରି, ଚାକିରି କରିବାକୁ ମନ ବଳାଇ ନାହାଁନ୍ତି ଆଲୋକ । ନିଜେ ରୋଜଗାରକ୍ଷମ ହେବା ପାଇଁ ଶେଷରେ ଚୟନ କରିଥିଲେ ଠେକୁଆ ପାଳନ । ସୁଦୂର କେରଳରେ ଥିବା କେତେକ ଠେକୁଆ ଫାର୍ମ ଗୁଡିକ ସହିତ ଯୋଗାଯୋଗ କରି ଆରମ୍ଭ କଲେ ତାଂକ ୟୁନିଟ୍ । ସେହି କେରଳର ଗୋଟିଏ ଫାର୍ମ ସହିତ ଚୁକ୍ତିଭିତ୍ତିକ ଚାଷ ଆରମ୍ଭ କଲେ । ଯାହାଦ୍ୱାରା ବିକ୍ରିବଟାର ଆଉ ସମସ୍ୟା ରହିଲାନାହିଁ ।
ଏବେ ଧୀରେଧୀରେ ଆଲୋକ, ଅନ୍ୟ ଉଦ୍ୟୋଗୀ ଯୁବଚାଷୀ ମାନଂକୁ, ଏକ୍ଷେତ୍ରକୁ ବାଛିବା ପାଇଁ, ପ୍ରଶିକ୍ଷଣ ଦେଇ ଉତ୍ସାହିତ କରୁଛନ୍ତି । ସାଧାରଣତଃ ଆମ ରାଜ୍ୟରେ ଠେକୁଆ ମାଂସର ସେତେଟା ଚାହିଦା ନଥିବାରୁ, ବ୍ୟବସାୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡିଥାଏ । ତେଣୁ ବିକ୍ରୟ ପାଇଁ ସୁବିଧା ହୋଇଗଲେ, ଏହି ଠେକୁଆ ପାଳନ କରି ଭଲ ରୋଜଗାର କରିହେବ । ତାଂକ ଫାର୍ମକୁ ଏ ବିଷୟରେ ଜାଣିବା ପାଇଁ ଆସିଥିବା ଜଣେ ଆଗ୍ରହୀ ଚାଷୀ ଏଭଳି କହିଛନ୍ତି ।
ସାଧାରଣତଃ ଗୋଟିଏ ୟୁନିଟ୍ରେ ଦଶଟି ଠେକୁଆ ନିଆଯାଉଥିବା ବେଳେ, ସେଥିରେ ସାତୋଟି ମାଈ ଓ ତିନୋଟି ଅଣ୍ଡିରା ଠେକୁଆ ରଖାଯାଇଥାଏ । ସେହି ହିସାବରେ ଆଲୋକ କୋଡିଏ ୟୁନିଟ୍ ଠେକୁଆ ପାଳନ କରି ମାସକୁ ପଚାଶରୁ ଷାଠିଏ ହଜାର ଟଂକା ରୋଜଗାର କରିପାରୁଛନ୍ତି । ଏହା ସହିତ ଅନ୍ୟ ଉଦ୍ୟୋଗୀ ଚାଷୀ ମାନଂକୁ ମଧ୍ୟ ଠେକୁଆ ଯୋଗାଇଦେଉଛନ୍ତି ।