ମହାପ୍ରଭୁ ଜଗନ୍ନାଥଙ୍କ କ୍ଷେତ୍ରରେ ବି ଏହି ମାନବୀୟ ଲିଳାଟି ପ୍ରକଟିତ ହୁଏ। ପ୍ରାଣପ୍ରିୟା ମହାଲକ୍ଷ୍ମୀ ମହାପ୍ରଭୁଙ୍କ ଜୀବନଧନ। ହେଲେ ତୁଳସୀ ବିନା କାଳିଆ ସାଆନ୍ତଙ୍କ ଦିନ ଆରମ୍ଭ ହୁଏନି କି ରାତି ସରେନି। ଖାସ୍ ସେଇଥିପାଇଁ ବୋଧେ, କୋଟି କୋଟି ଭକ୍ତଙ୍କର ପ୍ରଶ୍ନ ?
କାଳିଆ ନାଉଛି ତୁଳସୀ
ମା’ ମହାଲକ୍ଷ୍ମୀ କାହିଁକି ନୁହେଁ ?
କଳା ଠାକୁରଙ୍କ ପ୍ରିୟ ତୁଳସୀ । ତୁଳସୀର ମହିମା କାହାକୁ ବା ଅଛପା।କଳାଠାକୁରଙ୍କର ସେ ବଲ୍ଲଭା, ଗଳାର ହାର। ମଥାର ମଣି। ତା ବିନା ଜଗାର ଦିନୁଟିଏ ପରିକଳ୍ପନା କରିବା ବି ଅସମ୍ଭବ। ପ୍ରସାଦରେ ଯଦି ତୁଳସୀ ନାହିଁ ତା ହେଲେ ତାହା ପ୍ରସାଦ ନୁହେଁ। ଅନ୍ୟପଟରେ କଳାଠାକୁରଙ୍କ ପତ୍ନୀ ତଥା ଜଗତଜନନୀ ମହାଲକ୍ଷ୍ମୀଙ୍କର ତୁଳସୀ ପ୍ରତି ଆଦୌ ବି ଆଦର ନାହିଁ। ସତେ ଯେମିତି ସଉତୁଣୀର ଭାବ ବହୁଛି ତୁଳସୀ, ବୃନ୍ଦାବତୀ।
ତୁଳସୀ ମହାଲକ୍ଷ୍ମୀଙ୍କ ପାଖରେ କୌଣସି କାର୍ଯ୍ୟରେ ବି ଲାଗି ହୁଏନାହିଁ । ନା ଭୋଗରେ, ନା ପୂଜାରେ । ପୁରାଣ କହେ ତୁଳସୀ ଓ ମହାଲକ୍ଷ୍ମୀ ହେଉଛନ୍ତି ସପତ୍ନୀ । ଉଭୟଙ୍କ ବଲ୍ଲଭ ବିଶ୍ୱନିଅନ୍ତା ସ୍ୱୟଂ ଜଗନ୍ନାଥ । ମହଲକ୍ଷ୍ମୀ ଜଗତଠାକୁରଙ୍କ ହୃଦରେ ବାସ କରନ୍ତି । ଏବଂ ତୁଳସୀ ମଥାରେ ଲାଗି ହୁଅନ୍ତି । ଉଭୟ ମହାପ୍ରଭୁଙ୍କ ନିକଟତର । ତେଣୁ ସଉତୁଣୀ ଭାବରେ ତୁଳସୀଙ୍କ ପ୍ରତି ମହଲକ୍ଷ୍ମୀଙ୍କ ରହିଥାଏ ଅନାଦର ।
ପୁରାଣର କାହାଣୀ କୁହେ, ତୁଳସୀର ସ୍ୱାମୀ ଜଳନ୍ଧର ଥିଲେ । ମହାଦେବ ଏବଂ ଜଳନ୍ଧର ଭିତରେ ଥରେ ମହାଯୁଦ୍ଧ ହେଲା। ତୁଳସୀଙ୍କ ସତିତ୍ୱ ପାଇଁ ଜଳନ୍ଧର ପରାସ୍ତ ହେଲେନି। ତେଣୁ ଜଳନ୍ଧର ବଧ ପାଇଁ ମାୟା ରଚିଥିଲେ ସ୍ୱୟଂ ବିଷ୍ଣୁ । ଛଦ୍ମବେଶରେ ତୁଳସୀଙ୍କ ସତୀତ୍ୱ ନଷ୍ଟ କଲେ । ଶେଷରେ ତୁଳସୀର ଦୁଖଃ ଦେଖି ମହାପ୍ରଭୁ ମଥାରେ ଧାରଣ କରିବାର ପ୍ରତିଶ୍ରୁତି ଦେଲେ। ସେବେଠୁ ତୁଳସୀ ହେଲେ ବିଷ୍ଣୁବଲ୍ଲଭା।
କାଳିଆ ସାଆନ୍ତେ ରସିକ ଠାକୁର। ତାଙ୍କ କଥା ଆଉ କାହାଣୀ ସବୁ ରସମୟ। ଖାସ ସେଇଥିପାଇଁ ତ ଆମ ଧର୍ମ ଆମ ସଂସ୍କୃତିରେ ତୁଳସୀ ଗୋଟାଏ ଗଛର ଗୋଛାଏ ପତ୍ର ନୁହେଁ। ତା ପତ୍ରେ ପତ୍ରେ ଇଶ୍ବରଙ୍କ ବାସ ଅଛି। ସେ ଉଇଁଥିବା ଭୂଇଁ ବି ପବିତ୍ର। ଯାହାକୁ ମହାପ୍ରଭୁ ମଥାରେ ଧାରଣ କରିଛନ୍ତି କାଳକାଳକୁ। ମା’ ଲକ୍ଷ୍ମୀଙ୍କ ଭଳି ସେ ବି ନମସ୍ୟ ସେ ବି ଚିର ପୂଜିତା।