ଭୁବନେଶ୍ଵର : ଅନଲାଇନରେ ଖାଦ୍ୟ ଯୋଗାଇ ଦେବାକୁ ଏକ ଅନଲାଇନ ସଂସ୍ଥା ସ୍ୱିଗିକୁ ନିର୍ଦ୍ଦେଶ ଦେଲା ବିଏମସି । ସଂପ୍ରତ୍ତି ସମଗ୍ର ଦେଶରେ କୋଭିଡ-19 ପାଇଁ ଲକଡାଉନ ଘୋଷଣା ହୋଇଥିବାରୁ କୋରୋନା ସହ ଲଢେଇ କରୁଥିବା ତଥା ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଅନଲାଇନରେ ଖାଦ୍ୟ ଯୋଗାଇ ଦେବାକୁ ସ୍ୱିଗିକୁ ନିର୍ଦେଶ ଦେଇଛି ବିଏମସି । ଲକଡାଉନ ଯୋଗୁଁ ସବୁ ଦୋକାନବଜାର ବନ୍ଦ ରହିଛି । ହୋଟେଲଗୁଡିକ ମଧ୍ୟ ବନ୍ଦ ରହିଛି । ତେଣୁ ଖାଇବା ପାଇଁ ଲୋକ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେମାନଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
ଏହା ବ୍ୟତୀତ ବିଏମସି ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ 41ଟି ହାଟ ଆରମ୍ଭ ହୋଇଛି । ରାଜଧାନୀରେ ଥିବା ବଡ ବଡ ହାଟରୁ ଭିଡ କମାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହି ହାଟଗୁଡିକୁ ବିଏମସିର ବରିଷ୍ଠ ଅଧିକାରୀମାନେ ଯାଇ ପ୍ରତ୍ୟେକ୍ଷ ଭାବେ ତଦାରଖ କରିବେ ବୋଲି କାର୍ଯନିର୍ବାହୀ ଅଧିକାରୀ ଏକ ଚିଠିରେ ଉଲ୍ଲେଖ କରିଛନ୍ତି ।କେବଳ ସେତିକି ନୁହେଁ, ମହାନଗର ନିଗମ ଅଂଚଳର ପ୍ରତ୍ୟେକ କୋଣ ଅନୁକୋଣରେ ଥିବା ଲୋକଙ୍କ ନିକଟରେ ବିଏମସି କର୍ତ୍ତୃପକ୍ଷ ପରିବାପତ୍ର ପହଞ୍ଚାଇ ଦେବାକୁ ପ୍ରାୟ ତିନି ଡ୍ରଜନ ଗାଡିର ବ୍ୟବସ୍ଥା କରିଛି । ତେଣୁ ଲୋକେ ପରିବାପତ୍ର ପାଇଁ ବ୍ୟସ୍ତ ହେବା ଦରକାର ନାହିଁ ବୋଲି ବିଏମସି କହିଛି ।
