
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାତି। ଏପ୍ରିଲ ପହିଲା ବେଳକୁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ସେଲସିଅସ୍ ଟପିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି। ସେପଟେ ଗତ ଗୁରୁବାର ରାଜ୍ୟର ଦୁଇଟି ସହର ବଲାଙ୍ଗିର ଓ ସୋନପୁରରେ ତାପମାତ୍ରା ୩୮ଡିଗ୍ରୀ ଉପରେ ରହିଥିଲା। ସେହିପରି ବାରିପଦା, ଅନୁଗୋଳ, ନୟାଗଡ଼, ଟିଟିଲାଗଡ଼ ଓ ବୌଦ୍ଧ ଆଦି ୫ଟି ଜିଲାରେ ପାରଦ ୩୭ଡ଼ିଗ୍ରୀ ଉପରେ ଥିବାବେଳେ ପ୍ରାୟ ୧୩ଟି ସହର ୩୬ଡ଼ିଗ୍ରୀ ଉପରେ ରହିଛି। ଆସନ୍ତା ଦୁଇ ଦିନ ଭିତରେ ରାଜ୍ୟର ସର୍ବାଧିକ ତାପମାତ୍ରା ୨ରୁ ୩ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଆଗକୁ ତାପମାତ୍ରା ବଢିବ। ମୁଣ୍ଡ ଫଟା ଖରା ହେବ। ସମଗ୍ର ରାଜ୍ୟରେ ଗରମ ବଢିବ। ତେବେ ଆସନ୍ତା ୨୮ତାରିଖ ବେଳକୁ କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ମୟୂରଭଞ୍ଜ ଓ ବାଲେଶ୍ବରରେ ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ସେହିପରି ଗଞ୍ଜାମ, କେନ୍ଦୁଝର, ନୟାଗଡ଼, କନ୍ଧମାଳ, ମୟୂରଭଞ୍ଜ, ରାୟଗଡ଼ା ଓ ଗଜପତିରେ ଆସନ୍ତା ୨୯ରେ ଏବଂ ମୟୂରଭଞ୍ଜ, ନୟାଗଡ଼, କନ୍ଧମାଳ, କଟକ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଆସନ୍ତା ୩୦ରେ ଘଡ଼ଘଡ଼ି ସହିତ ବର୍ଷା ଏବଂ ୩୦ରୁ ୪୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ୨୮ରୁ ୩୦ ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲା ଗୁଡ଼ିକରେ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ଥିବାରୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରି କରାଯାଇଛି।
