ଭୁବନେଶ୍ବର : ରାଜ୍ୟରେ ତାତି ଦିନକୁ ଦିନ ବଢିବାରେ ଲାଗିଛି । ସେହିପରି ଆସନ୍ତା ୩/୪ ଦିନ ରାଜ୍ୟର ତାପମାତ୍ରା ଅଧିକ ବଢ଼ିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗରୁ ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ ପ୍ରାୟ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ପାରଦ ବଢ଼ିବାର ଆଶଙ୍କା କରାଯାଉଛି। ବିଶେଷ କରି ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ।
ଆଜି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ପାର କରିଥିବା ବେଳେ ରାଜଧାନୀ ଭୁବନେଶ୍ବର ଓ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଛି। ଉଭୟ ସହରର ତାପମାତ୍ରା ଆଜି ୪୧.୫ ଡିଗ୍ରିରେ ପହଞ୍ଚିଛି। ତେବେ ଆଗାମୀ ଦିନରେ ଅନେକ ସହରର ତାପମାତ୍ରା ୪୨ ଡିଗ୍ରି ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୩/୪ ଦିନ ତାତିରୁ ନିସ୍ତାର ନାହିଁ। ଏହି ସମୟରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅବଶ୍ୟ ଆସନ୍ତାକାଲିଠାରୁ ୧୭ ତାରିଖ ଯାଏଁ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଏହା ତାପମାତ୍ରା ଉପରେ କୌଣସି ପ୍ରବାହ ପକାଇବ ନାହିଁ। ଏହି ସମୟରେ ଦିନ ବେଳା ଆକାଶ ନିର୍ମଳ ରହିବା ଫଳରେ ଟାଣ ଖରା ହେବ।
କନ୍ଦୁଝର: ଯାତ୍ରା ଦେଖି ଯାଇଥିବାବେଳେ ଘରୁ ଚୋରି। ଆନନ୍ଦପୁର ଥାନା ଚମର୍ଦା ଗାଁର ରମେଶ ଚନ୍ଦ୍ର ସାହୁଙ୍କ ପରିବାର ଗାଁ ରେ ଚାଲିଥିବା ଯାତ୍ରା ଦେଖିବାକୁ ଯାଇଥିବା ସମୟରେ ତାଙ୍କ ଘରୁ ନଗଦ ଟଙ୍କା ସହିତ ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ ରମେଶ ପଦ୍ମପୁର ଗାଁରେ ଏକ ଅଳଙ୍କାର ଦୋକାନ କରି ଜୀବନ ଜୀବିକା ଚଳାଇଥାନ୍ତି। ତେବେ ଗତକାଲି ରାତିରେ ଚୋର ମାନେ ତାଙ୍କ ଘରୁ ୯ହଜାର ଟଙ୍କା ସମେତ ୮୦ ଗ୍ରାମ ରୁପା ଓ ୧୦ ଗ୍ରାମ ର ସୁନା ଗହଣା ଚୋରି ହୋଇଯାଇଛି। ଯାତ୍ରା ଅଧାରୁ ରମେଶ ଙ୍କ ବାପା ଘରକୁ ଆସିବାରୁ ଘର ର ଚାବି ଭଙ୍ଗା ହୋଇ ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଘଟଣା ର ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ହଷ୍ଟେଲରେ ଖାଇବାକୁ ମିଳୁନି, ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି । ଏମିତି ଅଭିଯୋଗ କରି ଜଣାଇବାକୁ 15 କିମି ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସ୍ ଗଲେ ୧୪ ଛାତ୍ରଛାତ୍ରୀ । ରାୟଗଡା ଜିଲ୍ଲା ବଡରାଇସିଙ୍ଗ ଅଞ୍ଚଳରୁ ଆସିଛି ଏଭଳି ଅଭାବନୀୟ ଚିତ୍ର ।
ବଡ଼ରାଇସିଙ୍ଗ ଆଶ୍ରମ ସ୍କୁଲ ଆବାସିକ ବିଦ୍ୟାଳୟର 14 ଜଣ ପିଲା ଚାଲି ଚାଲି ଯାଉଥିବାର ଦେଖାଯାଇଥିଲା । ସ୍କୁଲର ପ୍ରଧାନ ଶିକ୍ଷକ ଦୀର୍ଘ ଦିନ ହେବ ହଷ୍ଟେଲରେ ରହୁଥିବା ପିଲାମାନଙ୍କୁ ଖାଇବା ପିଇବାରେ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଯାହାର ପ୍ରତିବାଦରେ ଆଜି ରାତି 4ଟାରୁ ଦୀର୍ଘ 15 କିମି ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସରେ ଅଭିଯୋଗ ଦେବା ନିମନ୍ତେ ଆସିଛନ୍ତି ପିଲା। ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ରାତି ତମାମ ଛାତ୍ରମାନେ ହଷ୍ଟେଲ ଛାଡ଼ି ରାସ୍ତାରେ ଯାଇଥିଲେ। ବାଘ ଭୟ ଭିତରେ ରାତି ତମାମ ଜଙ୍ଗଲରେ ଚାଲିଥିଲେ ୧୪ଜଣ ଛାତ୍ର। ହଷ୍ଟେଲ ଛାଡ଼ି ୨୫ କିଲୋମିଟର ଦୂର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ଛାତ୍ରମାନେ।
ଉକ୍ତ ହଷ୍ଟେଲରେ 100 ଜଣ ବାଳକ ଏବଂ 140 ବାଳିକା ହଷ୍ଟେଲରେ ରହି ପାଠ ପଢ଼ୁଥିବା ନେଇ କହିଛନ୍ତି ହଷ୍ଟେଲ ଛାତ୍ରଛାତ୍ରୀ । ସମସ୍ତ ଛାତ୍ରଛାତୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଟନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସେଠାରେ ରହୁଛନ୍ତି। ସେମାନଙ୍କ ଉପରେ ନିର୍ଯାତନା ଅସହ୍ୟ ହେବାରୁ ହଷ୍ଟେଲ ଛାଡ଼ି ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ଆସିଥିବା କହିଛନ୍ତି। ଜିଲ୍ଲାପାଳ ଆସିବା ପରେ ଆମେ ଆମ କଥା ଜଣାଇବୁ ବୋଲି ପ୍ରକାଶ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର