ନୂଆଦିଲ୍ଲୀ: ଛେପ ପକାଇଲେ ୨ବର୍ଷ ଜେଲ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଏକ କଠୋର ନିୟମ ଜାରି କରିଛନ୍ତି ବେଲଜିୟମ୍ ସରକାର । କାହିଁକି ନା ବେଲଜିୟମରେ କୋରୋନା ସଂକ୍ରମଣକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି । ଏବଂ ଲୋକମାନେ କିଭଳି ଏହାକୁ ସଠିକ୍ ରୂପେ ମାନିବେ, ସେନେଇ ପୋଲିସ ମଧ୍ୟ ନିୟୋଜିତ କରାଯାଇ । କିନ୍ତୁ କିଛି ଲୋକଙ୍କୁ ଏସବୁ ଅସୁବିଧା ଲାଗୁଥିବାରୁ ସେମାନେ ଜାଣିଶୁଣି ପୋଲିସ ସହିତ ଅଯଥା ବଚସା କରିବା ସହ କିଭଳି ସେମାନଙ୍କୁ କୋରୋନା ବ୍ୟାପିବ ସେନେଇ ତାଙ୍କ ଉପରେ ଛେପ ପକାଉଛନ୍ତି । ଏବଂ ଜାଣିଶୁଣି ସେମାନଙ୍କ ନିକଟରେ କଫ ମଧ୍ୟ ବାହାର କରୁଛନ୍ତି ।
ତେବେ ସବୁଠାରୁ ବଡ଼ କଥା ହେଲା ବୈଜ୍ଞାନିକ ମାନଙ୍କ କହିବା ଅନୁଯାୟୀ ଆକ୍ରାନ୍ତ ବ୍ୟକ୍ତିଙ୍କ କଫ ଏବଂ ଛେପରୁ ବି ଏହି ଭାଇରସ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ବେଲଜିୟମରେ କିଛି ଅସାମାଜିକ ବ୍ୟକ୍ତି ଜାଣିଶୁଣି ଏଭଳି କିଛି କାର୍ଯ୍ୟକଳାପ କରୁଥିବାରୁ ପୋଲିସ କର୍ମିଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି । ତେଣୁ ଏନେଇ ବେଲଜିୟମରେ ନୂତନ ଆଇନ୍ କରାଯାଇଛି । ଯେଉଁମାନେ ପୋଲିସ ଉପରେ ଛେପ ପକାଇବେ କିମ୍ବା ସେମାନଙ୍କ ନିକଟରେ କଫ ବାହାର କରିବେ ସେମାନଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯିବ ।
ଖାଲି ସେତିକି ନୁହେଁ ଏଭଳି ବ୍ୟକ୍ତିଙ୍କ ବିରୋଧରେ ୨୫୦ରୁ ୨ହଜାର ୟୁରୋ ଯାଏଁ ଜରିମାନା ବି ଲାଗୁ କରାଯାଇଛି । ସେହିପରି ଯଦି କୌଣସି ବ୍ୟକ୍ତି ଅନ୍ୟମାନଙ୍କ ପାଇଁ ଉଦିଷ୍ଟ ଖାଦ୍ୟ ପଦାର୍ଥରେ ଛେପ ପକାଏ କିମ୍ବା ତାର ନିକଟରେ କାଶେ , ତାହେଲେ ତାଙ୍କୁ ୫ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯିବାର ମଧ୍ୟ ବ୍ୟବସ୍ଥା କରାଯାଇଛି ।
