ଯାଜପୁର: କୋରୋନା ଦେଇଛି ଆଖୁ ଚାଷୀଙ୍କ ଆଖିରେ ଲୁହ। ବର୍ଷ ତମାମ ମୁଣ୍ଡ ଝାଳ ତୁଣ୍ଡରେ ମାରି ଦି ପଇସା ରୋଜଗାର କରିବା ପାଇଁ ସ୍ବପ୍ନ ଦେଖିଥିବା ଆଖୁଚାଷୀ ଏବେ ଆଖିରେ ଝରାଉଛି ଲୁହ । ବିଲରେ ଟନ ଟନ୍ ଆଖୁ ପଡିଥିବା ବେଳେ ଆଉ ଏକର ଏକର ଜମିରେ ଆଖୁ ଗଛ କଟା ହେବା ପାଇଁ ରହିଛି । ପଡିଥିବା ଆଖୁ ସୁଖି ଜାଳ ହେବାକୁ ବସିଥିବା ବେଳେ ଛିଡା ହୋଇଥିବା ଆଖୁ ନଷ୍ଟ ହୋଇଗଲାଣି ।
ଯାଜପୁର ଜିଲ୍ଲା ଆଖୁ ଚାଷର ଏନ୍ତୁଡିଶାଳା କୁହାଯାଉଥିବା ବେଳେ ଆଉ ଅଳ୍ପ କିଛି ଦିନ ମଧ୍ୟରେ ସବୁ ନଷ୍ଟ ହେବାକୁ ଯାଉଛି । ଗୋଟିଏପଟେ ଆଖୁ କଳ ବନ୍ଦ ପଡିଥିବା ବେଳେ ଅନ୍ୟପଟେ କୋରୋନାର ଲଗଡାଉନ ଯୋଗୁଁ ଆଖୁ ପରିବହନ ଠପ ହୋଇଯାଇଛି । ଯାହା ଫଳରେ ରପ୍ତାନୀ ଅପେକ୍ଷାରେ ଆଖୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ।
କୋରାନା ପ୍ରଭାବରେ ସାରା ବିଶ୍ବର ଅର୍ଥନୀତି ପ୍ରଭାବିତ ହେଉଥିବା ବେଳେ ଯାଜପୁରର ଆଖୁ ଚାଷୀ ଏବେ ଏକ ବଡ କ୍ଷତିକୁ ସାମ୍ନା କରିବାକୁ ଯାଉଛନ୍ତି । ଆଖୁ ଚାଷରେ ଓଡିଶାର ଏକ ଅଗ୍ରଣୀ ଜିଲ୍ଲା ଭାବେ ଯାଜପୁରର ନାମ ରହିଛି । କିନ୍ତୁ କରୋନାର ପ୍ରଭାବ ଜିଲ୍ଲାରେ ଆଖୁ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଯାଜପୁର ଜିଲ୍ଲା ବରୀ ଡିଭିଜନ କୁଝାଲା ସେକ୍ସନ ଅଧିନରେ ଥିବା ୩ ଶହରୁ ଉର୍ଦ୍ଧ୍ବ ଆଖୁ ଚାଷୀ ଚଳିତ ବର୍ଷ ଆଖୁ ଉତ୍ପାଦନକୁ ନେଇ ଚିନ୍ତାରେ ଅଛନ୍ତି ।
ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କର ଆଖୁ ଚାଷ ହିଁ ମୁଖ୍ୟ ଜୀବିକା । ଆଖୁ ଚାଷରୁ ହିଁ ବର୍ଷସାରା ଚଳେ ପରିବାର । କିନ୍ତୁ ଚଳିତ ବର୍ଷ କାରଖାନା ବନ୍ଦ ଯୋଗୁ ବିଲରେ ଟନ ଟନ ଆଖୁ ନଷ୍ଟ ହେବାକୁ ଲାଗିଲାଣି । କାରଣ ଗୋଟିଏ ପଟେ କୋରୋନା ଯୋଗୁ ଚିନି କାରଖାନା ବନ୍ଦ, ଗାଡି ଚଳାଚଳର ସମସ୍ୟା ଓ ଶ୍ରମିକ ଅଭାବ ଆଖୁ ଅମଳରେ ପ୍ରତିବନ୍ଧକ ସାଜିଛି । ଅନ୍ୟ ପଟେ ଯଦି ଜିଲ୍ଲା ପ୍ରଶାସନ ପରିବହନ ପାଇଁ ଅନୁମତି ଦିଅନ୍ତି ତେବେ ଏହାର ସମାଧାନ ବାଟ ବାହାରି ପାରନ୍ତି ।
ସେହିପରି ଯାଜପୁର ବ୍ଲକର ଜମଧର ଅଞ୍ଚଳରେ ୩ଶହରୁ ଉର୍ଦ୍ଧ ଚାଷୀ ପାଖାପାଖି ୫ଶହ ଏକର ଜମିରେ ପ୍ରତିବର୍ଷ ଆଖୁ ଚାଷ କରି ଜୀବିକା ନିର୍ବାହ କରନ୍ତି। ପ୍ରତିବର୍ଷ ନଭେମ୍ବର ମାସରୁ ମାର୍ଚ୍ଚ ମାସ ମଧ୍ୟରେ ଆଖୁ ଅମଳ ହେବା ସହ ନୂଆ ଆଖୁ ଚାଷ କରାଯାଇଥାଏ। । ଏହି ଅଞ୍ଚଳର ଅମଳ ଚାଷକୁ ଢ଼େଙ୍କାନାଳର ଶକ୍ତି ଚିନି କାରଖାନାରେ ବିକ୍ରୟ କରାଯାଏ ।
ଏହି ସମୟରେ ଶହଶହ ଟ୍ରକ ଆଖୁ ଢ଼େଙ୍କାନାଳର ଚିନି କଳକୁ ପରିବହନ ହୋଇଥାଏ । ମାତ୍ର ଚଳିତ ବର୍ଷ କାରଖାନାରେ ଉତ୍ପାଦନ ବନ୍ଦ ଯୋଗୁ ଆଖୁ ପରିବହନ ଠପ୍ ହୋଇଛି । ଫଳରେ ଟନ ଟନ ଆଖୁ କ୍ଷେତରେ ନଷ୍ଟ ହେଉଛି । ସମଗ୍ର ଅଞ୍ଚଳରେ ପ୍ରାୟ ୨ହଜାର ଟନ ଆଖୁ ଉତ୍ପାଦନ ହୋଇଥିବା ବେଳେ ୫ ଶହ ଟନ ଆଖୁ କଟା ଯାଇ ବିଲରେ ପଡିଛି । ଅବଶିଷ୍ଟ ୧୫ଶହ ଟନ୍ ଆଖୁ କ୍ଷେତରେ ବଢ଼ୁଛି ।
ଯଦି ଏପରି ପରିସ୍ଥିତି ଲାଗି ରୁହେ ତେବେ ୨ ବର୍ଷ ଯାଏଁ ଚାଷୀ ଚାଷ ବନ୍ଦ କରିବାକୁ ବାଧ୍ୟ ହେବେ । ଏହାରି ଭିତରେ ଚାଷୀ ନିଜର ଋଣ ସୁଖିବା ଚିନ୍ତାରେ ପଡିଛନ୍ତି। କାରଣ ଆଖୁ ଚାଷ ପାଇଁ ସରକାରୀ ଋଣର ବ୍ୟବସ୍ଥା ଥିବା ବେଳେ ଚାଷୀମାନେ ଏକର ପିଛା ୨୫ ହଜାର ଟଙ୍କାର ଋଣ ନେଇ ଚାଷ କରିଥାନ୍ତି । ଆଖୁ ଚାଷ ହିଁ ଉକ୍ତ ଅଞ୍ଚଳର ମୁଖ୍ୟ ଜୀବିକା ହୋଇଥିବା ବେଳେ କିଏ ୫ ଏକର ତ କିଏ ୨୫ ଏକର ଆଖୁ ଚାଷ କରି ବର୍ଷକ ପାଇଁ ପରିବାର ପେଟକୁ ଦାନା ଦେଇଥାନ୍ତି । ତେବେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଶହଶହ ଆଖୁ ଚାଷୀଙ୍କ ସମସ୍ୟାକୁ ଗୁରୁତ୍ବ ଦେଇ ଶକ୍ତି ସୁଗାର ମିଲ୍ ଖୋଲିବାକୁ ବ୍ୟବସ୍ଥା କରାଇଲେ ଓ ରାଜ୍ୟରେ ଚିନିର ଅଭାବ ଦୂର ହେବା ସହ ଚାଷୀଙ୍କର ଦୁଃଖ ଦୂର ହେବ ବୋଲି ଅନୁରୋଧ କରିଛନ୍ତି ଆଖୁ ଚାଷୀ।
ଗୋଟିଏ ପଟେ ଲଗ ଡାଉନରୁ ଆଖୁ ଚାଷୀଙ୍କ ଆଖିରୁ ଲୁହ ସୁଖୁ ନଥିବା ବେଳେ ଆଖୁ ନଷ୍ଟ ହେବା ଚାଷୀର ମେରୁଦଣ୍ଡକୁ ଭାଙ୍ଗି ଦେବ। ଅନ୍ୟ ପଟେ ଯଦି ସରକାର କିମ୍ବା ଜିଲ୍ଲା ପ୍ରଶାସନ ଏହା ପ୍ରତି ଦୃଷ୍ଟି ନଦିଅନ୍ତି ତେବେ ରାଜ୍ୟରେ ଚିନିର ଅଭାବ ସହ ଆଖୁ ଚାଷୀ ଜୀବିକା ହରାଇବା ହିଁ ସାର ହେବ।
