ହେଲେ ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏ ଅବସ୍ଥା ...ଏମିତି ଅବସ୍ଥା କିଏ କଲା । ଏମିତି ରଥରେ ମହାବାହୁ କାହିଁକି ପଡିଛନ୍ତି....ଏ ସବୁ ପ୍ରଶ୍ନ ମନରେ ତ ଆସୁଛି ହେଲେ ଠାକୁରଙ୍କ ଏ ଅବସ୍ଥା ଦେଖିଲେ କାନ୍ଦ ଲାଗୁଛି ।
ମନ୍ଦିରରୁ ପହଁଣ୍ଡି ହୋଇ ରଥଯାତ୍ରାରେ ଗଲେ । ହେଲେ ନୀଳାଦ୍ରି ବିଜେ ନହୋଇ ସେହିଭଳି ରଥାରୂଢ ହୋଇ ରହିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ , ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା । ଠାକୁରଙ୍କ ନୀଳାଦ୍ରି ବିଜେ ହୋଇ ପାରିଲା ନାହିଁ, ଅଖିଆ-ଅପିଆ ପଡି ରହିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏପରିକି ପୂଜାର୍ଚ୍ଚନା ମଧ୍ୟ ହେଉନାହିଁ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ମଙ୍ଗଳାଯୋଡି ଗ୍ରାମରେ ଦେଖିବାକୁ ମିଳିଛି । ଯାହାକି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ କୁଠାରଘାତ କରିଛି ।
ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ମଙ୍ଗଳାଯୋଡି ଗ୍ରାମରେ ରହିଛି ପତିତପାବନଙ୍କ ମନ୍ଦିର । ଆଉ ଏହି ମନ୍ଦିରରେ ଦୀର୍ଘଦିନ ଧରି ପୂଜା ପାଇଆସୁଛନ୍ତି ଏହି ବିଗ୍ରହ । ରଥଯାତ୍ରା ବେଳେ ଗାଁର କେତେକ ଯୁବକ ରଥଯାତ୍ରା ପାଳନ କରୁଥିଲେ । ଆଉ ସେହି ରଥଯାତ୍ରାରେ ଏହି ବିଗ୍ରହ ସ୍ଥାନ ପାଇଥିଲେ । ରଥଯାତ୍ରା ସରିବା ପରେ ମନ୍ଦିର ପୂଜକ ଏହି ବିଗ୍ରହଙ୍କୁ ସ୍ୱତନ୍ତ୍ର ମନ୍ଦିର ନିର୍ମାଣ କରି ସେଠାରେ ପୂଜାର୍ଚ୍ଚନା କରିବା ପାଇଁ ସେହି ଯୁବକ ମାନଙ୍କୁ କହିଲେ । ମାତ୍ର ପୂଜକଙ୍କ କେହି କର୍ଣ୍ଣପାତ କଲେ ନାହିଁ । ଏପରିକି ପୂଜକଙ୍କୁ ବିଗ୍ରହଙ୍କ ପୂଜାର୍ଚ୍ଚନା ଖର୍ଚ୍ଚ ବ୍ୟବସ୍ଥା ଦେନେ ନାହିଁ । ତେଣୁ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଇ ଦେଲେ ପୂଜକ । ସେହି ଦିନ ଠାରୁ ଠାକୁର ଖରାବର୍ଷାରେ ସେହି ଭଳି ରଥାରୂଢ ହୋଇ ରହିଛନ୍ତି ।
କୋଟି ଓଡିଆଙ୍କ ମଉଡ ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ । ଯାହାଙ୍କ ବିନା ନିର୍ଦେଶରେ ପତ୍ରଟିଏ ବି ହଲେନି । ହେଲେ ମହାପ୍ରଭୁଙ୍କ ଏହି ଚିତ୍ର ଏବେ ସମସ୍ତଙ୍କ ମନକୁ କୋଠର ଆଘାତ ପହଞ୍ଚାଇଛନ୍ତି । ଯେମିତି ଲାଗୁଛି ମଣିଷମାନଙ୍କ ବିବାଦରେ ଠାକୁର ବଳି ପଡିଯାଇଛନ୍ତି । ନା ଫୁଲ ଚନ୍ଦନ ଟିକକ ମିଳୁଛି ନା ପାଣି ଢାଳଟିଏ ଥୁଆ ହେଉଛି । ଏମିତି ଆଉ କେତେ ଦିନ ମହାପ୍ରଭୁ ଅଖିଆ ଅପିଆ ରହିବେ । ତାହା ଏବେ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରିଛି ।