ନବରଙ୍ଗପୁର: ଦାନ କରିବାର ଇଚ୍ଛାଥିଲେ କେବେ ଅର୍ଥ ବାଧକ ସାଜେନା । ଏହା ପ୍ରମାଣ କରି ଦେଖାଇଛନ୍ତି ନବରଙ୍ଗପୁରର ବୃଦ୍ଧ ହରିଜନ ଦମ୍ପତ୍ତି । ପରିବାର ଚଳାଇବା ପାଇଁ ଉଭୟ ସରକାରୀ ଭତ୍ତା ଉପରେ ନିର୍ଭର କରୁଥିବା ବେଳେ କୋରୋନା ମହାମାରୀ ସମୟରେ ଏହି ଭତ୍ତାକୁ ସେମାନେ ରିଲିଫ ଫଣ୍ଡକୁ ଦାନ କରି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ।
ସରକାର ସବୁ ବେଳେ ଗରିବଙ୍କୁ ସହାୟତା ଯୋଗାଉଛନ୍ତି । ତେବେ ଏହି ଜରୁରୀ ପରିସ୍ଥିତିରେ ସରକାରଙ୍କୁ କିଛି ସହାୟତା ଦେବାର ସମୟ ଆସିଛି । ଏହେଉଛି ଗରିବ ବୃଦ୍ଧ କମୁଳୁର ହୃଦୟର କଥା । ନବରଙ୍ଗପୁର ସହରର ମେଦ୍ରୀ ସାହିର ଏକ ବସ୍ତିରେ ରୁହନ୍ତି ବୃଦ୍ଧ କମୁଳୁ ହରିଜନ ଓ ସ୍ତ୍ରୀ ମଙ୍ଗାଇ ହରିଜନ ।
ପରିବାରର ଆର୍ଥିକ ଦୁର୍ଦ୍ଦଶା ନକହିବା ଭଲ । ଦ୍ରାରିଦ୍ରତାର କସଡାଘାତରେ ଜୀବନ ସହ ସଂଗ୍ରାମ କରୁଥିବା ଏହି ଦମ୍ପତ୍ତି ନିଂସନ୍ତାନ । ସରକାରୀ ମାସିକ ବାର୍ଦ୍ଧକ୍ୟ ଭତ୍ତା ଏବଂ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳରେ ଉଭୟେ ଚଳିଥାନ୍ତି । ତେବେ କୋରୋନା ମହାମାରି ସମୟରେ ସରକାରଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି ଉଭୟ । ସରକାରୀ ସହାୟତା ଭାବେ ପାଇଥିବା 2 ମାସର ଭତ୍ତା ଟଙ୍କା ସେମାନେ ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ଓ ମୁଖ୍ୟମନ୍ତ୍ରୀ କେୟାରସ ପାଣ୍ଠି କୁ ପଠାଇଛନ୍ତି ।
ଏହି ଗରିବ ଦମ୍ପତ୍ତିଙ୍କ ମହତ ଦାନ ଏବେ ଅଞ୍ଚଳରେ ଚର୍ଚ୍ଚାର ବିସୟ ପାଲଟିଛି । ଗରିବ ହୋଇ ମଧ୍ୟ ନିଜ କଥା ଭୁଲି ପରକୁ ସାହାର୍ଯ୍ୟ କରି ଦୁହେଁ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏମାନଙ୍କ ପରି ପ୍ରତ୍ୟେକ ବ୍ୟକ୍ତି ରିଲିଫ ପାଣ୍ଠିକୁ କିଛି କିଛି ଆର୍ଥିକ ସହାୟତା ଯୋଗାଇଲେ ସାରା ଦେଶ ଯେଉଁ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି ସେଥିରୁ ମୁକୁଳିପାରନ୍ତା।
