ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। କରୋନା ସହିତ ଯୁଦ୍ଧ କରି ବିଜୟୀ ହେଲେ ପ୍ରଥମ କରୋନା ଆକ୍ରାନ୍ତ। ବର୍ତ୍ତମାନ ସେ ସମ୍ପୁର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ଼ ଯୋଗେ ସୂଚନା ଦିଆଯାଇଛି। ତାଙ୍କୁ ଏବେ ଡିସଚାର୍ଜ କରାଯାଇଛି ବୋଲି ସୂଚନା ଦିଆଯାଇଛି। ସୁସ୍ଥ ହେବା ପରେ ତାଙ୍କର ପୁଣି ଥରେ ପରୀକ୍ଷା କରାଯାଇଥିଲା। ଯେଉଁଥିରେ ତାଙ୍କ ରିପୋର୍ଟ୍ ନେଗେଟିଭ୍ ଆସିଲା। ଯାହାଫଳରେ ତାଙ୍କୁ ଡିସଚାର୍ଜ କରିବା ପାଇଁ ହସ୍ପିଟାଲ କତୃପକ୍ଷ ଓ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଲେ। ଏହି କାର୍ଯ୍ୟ ପାଇଁ ହସ୍ପିଟାଲ ଟିମକୁ ଅଭିନନ୍ଦନ ଜଣାଇଛି ସ୍ୱାସ୍ଥ୍ୟ ବିଭାଗ।
ପ୍ରଥମ ଆକ୍ରାନ୍ତ ରାଜଧାନୀ ଭୁବନେଶ୍ଵରର ଥିଲେ। ସେ ଇଟାଲୀରୁ ଫେରିଥିଲେ। ମାର୍ଚ 15 ରେ ତାଙ୍କର ପରୀକ୍ଷା କରାଯାଇଥିଲା। ରିପୋର୍ଟରେ ସେ କୋଭିଡ୍-19 ରେ ଆକ୍ରାନ୍ତ ଅଛନ୍ତି ବୋଲି ଜଣାପଡ଼ିଥିଲା। ସେବେଠାରୁ ତାଙ୍କର ଚିକିତ୍ସା କ୍ୟାପିଟାଲ ହସ୍ପିଟାଲରେ ଚାଲିଥିଲା। ଏହା ପୂର୍ବରୁ ରାଜ୍ୟର ଦ୍ଵିତୀୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତାଙ୍କର ଚିକିତ୍ସା ଭୁବନେଶ୍ବର ଏମ୍ସରେ ଚାଲିଥିଲା।
ବର୍ତ୍ତମାନ ରାଜ୍ୟରେ 3 ଟି ଆକ୍ଟିଭ୍ କୋଭିଡ୍-19 ଆକ୍ରାନ୍ତ ଅଛନ୍ତି ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ।
