ଉଦଳା: ଡାହାଣୀ ସନ୍ଦେହରେ ଅଙ୍ଗନବାଡି କର୍ମୀଙ୍କୁ ସଂପର୍କୀୟଙ୍କ ନିସ୍ତୁକ ମାଡ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଅଂଚଳରେ । କପ୍ତିପଦା ଥାନା ତୋଟାସାହି ଗ୍ରାମର ଅଙ୍ଗନବାଡି କର୍ମୀ ସାର ସିଂଙ୍କୁ ତାଙ୍କ ଦିଅର, ଦେଢଶୁର ଏବଂ ସହଯୋଗୀମାନେ ଡାହାଣି ସନ୍ଦେହରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଯାହାକୁ ନେଇ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଙ୍ଗନବାଡି କର୍ମୀ ସାରଙ୍କ ସଂପର୍କୀୟଙ୍କର ଦେହ ଦୀର୍ଘ ଦିନ ହେବ ଅସୁସ୍ଥ ରହି ଆସୁଥିଲା । ତେବେ ଅସୁସ୍ଥ ବ୍ୟକ୍ତିଙ୍କ ଶରୀର ସୁସ୍ଥ ହେଉ ନ ଥିବା ବେଳେ ଏ ନେଇ ସାରଙ୍କ ଦିଅର ଭରତ ମୁର୍ମୁ, ଦେଢଶୁର ଶ୍ୟାମପ୍ରସାଦ ମୁର୍ମୁ ଏହା ପଛରେ ସାରଙ୍କ ହାତ ଥିବା ସନ୍ଦେହ କରିଥିଲେ । ଯାହାକି ବିଭିନ୍ନ ସ୍ଥାନରେ ଗୁଣିଆ ମାନଙ୍କୁ ଦେଖାଇବା ପରେ ସଂପର୍କୀୟ ସାଇବ ମୁର୍ମୁଙ୍କ ଦେହ ଖରାପ ହେବା ପଛରେ ସାର ଡାହାଣି ସାଜି ପୁରା ଘଟଣା ଭିଆଉଥିବା ଗୁଣିଆ କହିଥିଲେ । ଯାହାକୁ ନେଇ ସାର ଜଣେ ଡାହାଣୀ ବୋଲି ସନ୍ଦେହ କରିଥିଲେ ତାଙ୍କର ଦିଅର ଏବଂ ଦେଢଶୁର ।
ଗତକାଲି ସନ୍ଧ୍ୟା ସମୟରେ ସାର ଘରେ ଥିବା ବେଳେ ତାଙ୍କ ଦିଅର ଭରତ, ଦେଢଶୂର ଶ୍ୟାମ ପ୍ରସାଦ ନିଜର ଅନ୍ୟ ତିନି ସହଯୋଗୀଙ୍କ ସହିତ ସାରଙ୍କ ଘର ନିକଟରେ ପହଂଚି ତାଙ୍କୁ ଘରୁ ବାହାରକୁ ଡାକି ମାଡ ମାରିଥିଲେ । ବିଧା ଗୋଇବା ମାରିବା ସହିତ ସେ ପିନ୍ଧିଥିବା ଲୁଗା ଚିରି ତାଙ୍କୁ ଉଲଗ୍ନ କରି ମାଡ ମାରିଥିଲେ ଅଭିଯୁକ୍ତମାନେ । ଯାହାକି ସେହି ସମୟରେ ସାରଙ୍କ ବଡବାପା ଶ୍ୟାମ ମୁର୍ମୁ ସେଠାରେ ପହଂଚି ସେମାନଙ୍କ ନିକଟରୁ ସାରଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିବା ବେଳେ ତାଙ୍କୁ ମଧ୍ୟ ଅଭିଯୁକ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାକି ଅଭିଯୁକ୍ତମାନେ ମାଡ ମାରି ଲହୁଲୁହାଣ କରିବା ସହିତ ସାରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ସେଠାରୁ ଖସି ଚାଲିଯାଇଥିଲେ । ପରେ ଏ ନେଇ ସାର କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ସାରଙ୍କ ବଡବାପା ଶ୍ୟାମ ଗୁରୁତର ଅବସ୍ଥାରେ ଏବେ ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି । ତେବେ ଡାହାଣୀ ସନ୍ଦେହରେ ଜଣେ ଅଙ୍ଗନବାଡି କର୍ମୀଙ୍କୁ ଏପରି ମାଡ ମରାଯିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
