କଟକ: ଲକ ଡାଉନ ପାଇଁ ସବୁ ଠପ୍ । ରୋଜଗାର ନାହିଁ । ଘରେ ହାତଗୋଡ ବାନ୍ଧି ବସିଛନ୍ତି ସମସ୍ତେ । ତାଲାବନ୍ଦ ପାଇଁ ଲୋକଙ୍କ ଜୀବନ ଯାତ୍ରା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ବିଶେଷକରି ନିମ୍ନ ଓ ମଧ୍ୟବିତ୍ତଙ୍କ ପାଇଁ କାଳ ହୋଇଛି । ଗାଡିମୋଟର ଚଳାଚଳ ବନ୍ଦ ଯୋଗୁଁ ଅଟୋ ଓ ରିକ୍ସା ଚାଳକ ଯେପରି ପଙ୍ଗୁ ପାଲଟିଛନ୍ତି । ପ୍ରତିଦିନ ଅଟୋରୁ ହେଉଥିବା ରୋଜଗାରରେ ସେମାନଙ୍କ ପରିବାର ଚଳୁଥିଲା । ଯାହା କିଛି ଅର୍ଥ ସଞ୍ଚୟ ରଖିଥିଲେ ୧୧ ଦିନର ଲକ ଡାଉନ ଭିତରେ ତାହା ଡାଲି, ଚାଉଳ, ପରିବା, ମସଲାରେ ସରିଗଲାଣି । ଆହୁରି ୧୦ ଦିନ ବାକି ରହିଛି ତାଲା ବନ୍ଦ ସରିବାକୁ । ଗାଡି ଚଳାଇବା ଛଡା ଏମାନଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ । ଯାହାଫଳରେ କଟକ ସହରରେ ୫ ହଜାର ଅଟୋ ଚାଳକ ଓ ୩ ଶହ ରିକ୍ସା ଚାଳକ ଏବେ ହାତ ବନ୍ଧି ବସିଛନ୍ତି ।
ସାଧାରଣ ଦିନରେ କଟକ ସହରର ବିଭିନ୍ନ ଛକ ବଜାରରୁ ଅତି ସହଜରେ ଅଟୋ ଓ ରିକ୍ସା ମିଳିଯାଏ। ବାଉନ ବଜାର, ତେପନ ଗଳିର ମାନ୍ୟତା ରଖୁଥିବା ଏହି ସହର ପାଇଁ ଏହି ଦୁଇ ଯାନକୁ ଯାତାୟତ ବେଶ ପସନ୍ଦ କରନ୍ତି ସହରବାସୀ । ଏହାକୁ ନେଇ ୨୯ ବର୍ଷ ମଧ୍ୟରେ କଟକରେ ପ୍ରାୟ ୫ ହଜାର ଅଟୋ ଗଡିଲାଣି । କିଏ ନିଜ ଅଟୋ ଚଳାଉଛି ତ ଆଉ କିଏ ଭଡାରେ ଅଟୋ ଆଣି ଚଳାଉଛି । ଏଭଳି ସ୍ଥିତିରେ ଏହି ରୋଜଗାର ଉପରେ ସେମାନଙ୍କ ପରିବାର ନିର୍ଭର କରିଥାନ୍ତି । ସେହିପରି ରିକ୍ସା ଚାଳକଙ୍କ ସମସ୍ୟା ମଧ୍ୟ ଜଟିଳ ।
ସହରରେ ପ୍ରାୟ ୩ ଶହ ରିକ୍ସା ଚାଳକ ଏବେ ଲକ ଡାଉନରେ ବନ୍ଦୀ ଜୀବନ ବିତାଉଛନ୍ତି । ତେବେ ଅର୍ଥାଭାବ ଯୋଗୁଁ ତେଲ ଲୁଣର ସଂସାରରେ ସଙ୍କଟ ଦେଖାଦେଇଛି । ଠିକ ଭାବେ ରୋଷେଇ ହେଉ ନଥିବାବେଳେ ପିଲାଛୁଆଙ୍କ ଦୈନନ୍ଦିନ ଖର୍ଚ୍ଚ ମଧ୍ୟ କରିପାରୁ ନାହାନ୍ତି । ଅନ୍ୟପକ୍ଷରେ ଗାଁକୁ ଯିବା ସମ୍ଭବ ହେଉନଥିବାରୁ କିଭଳି ଆଉ ୧୩ ଦିନ ଏଠାରେ ରହିବେ ତାହାକୁ ନେଇ ଚିନ୍ତା ବଢ଼ିଛି । କିଛି ଅଟୋ ଚାଳକ ଚୁକ୍ତି କରି ଗାଡ଼ି ଭଡ଼ାରେ ରଖିଥିବାରୁ ମାଲିକମାନେ ଲୋନ କରିଥିବା କହି ଟଙ୍କା ମାଗୁଛନ୍ତି ।
ଲକ ଡାଉନ ପାଇଁ ଅଟୋ ଓ ରିକ୍ସା ଚାଳକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ତାଲା ବନ୍ଦ ପାଇଁ ଚାରିଆଡ ଶୂନଶାନ ଥିବାବେଳେ ଅଟୋ ଓ ରିକ୍ସାର ବ୍ୟବହାର ଆଦୌ ନାହିଁ କହିଲେ ଚଳେ । ଏମିତିରେ ଏସସିବି ମେଡିକାଲରେ ଲୋକଙ୍କ ଯା ଆସ ପାଇଁ କେବଳ ୨୨ଟି ଅଟୋକୁ ଅନୁମତି ଦିଆଯାଇଛି । ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ସେମାନଙ୍କ ପାସ ଦିଆଯାଇଛି । କିନ୍ତୁ ବଳକା ସମସ୍ତ ଅଟୋ ଓ ରିକ୍ସା ଚାଳକ ଘରେ ବସି ରହିଛନ୍ତି । ଅନ୍ୟ ବର୍ଗ ମାନଙ୍କ ପାଇଁ ରିଲିଫର ବ୍ୟବସ୍ଥା କରାଯାଇଥିବାବେଳେ ଅଟୋ ଓ ରିକ୍ସା ଚାଳକଙ୍କ ପାଇଁ ସରକାର କୌଣସି ବ୍ୟବସ୍ଥା କରନ୍ତୁ ବୋଲି ସାଧାରଣ ଦାବି ହୋଇଛି ।
