ଦାଣ୍ଡି ରାମାୟଣର ଅଯୋଧ୍ୟା କାଣ୍ଡରେ ରସଗୋଲାର ବର୍ଣନା ଅଛି । ଶ୍ରୀ ରାମଙ୍କୁ ବନବାସରୁ ଫେରାଇ ଆଣିବା ପାଇଁ ଭରତ ଓ ଶତ୍ରୁଘ୍ନ ପହଞ୍ଚିଥିଲେ ବଣରେ । ବାଟରେ ସେମାନେ ସାଧୁ ଭରଦ୍ୱାଜଙ୍କ ଆତିଥ୍ୟ ଗ୍ରହଣ କରିଥିଲେ । ଖାଇଥିଲେ ଛେନାରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ରନ୍ଧା ଖାଦ୍ୟ | ଏଥି ମଧ୍ୟରେ ଥିଲା ଛେନା ପୁରି, ଛେନା ଲଡୁ, ରସଗୋଲା ଏବଂ ରସାବଳି ।
ବଳରାମ ଦାସ ୩୨ ବର୍ଷ ବୟସରେ ଦାଣ୍ଡି ରାମାୟଣ ସମ୍ପୂର୍ଣ କରିଥିଲେ। ଅର୍ଥାତ୍ ସେତେବେଳକୁ ହୋଇଥିଲା ୧୫୦୪ ଖ୍ରୀଷ୍ଟାବ୍ଦ । ବଙ୍ଗୀୟ ମାନେ ମିଛ କୁହାଟ ମାରୁଥିଲେ ଯେ ସେମାନେ କୁଆଡେ ୧୮୬୮ରେ ରସଗୋଲା ଉଦ୍ଭାବନ କରିଥିଲେ । କିନ୍ତୁ ଏହାର ୩୫୦ ବର୍ଷ ଆଗରୁ ଓଡିଆ ରାମାୟଣରେ ଭରତ ଓ ଶତ୍ରୁଘ୍ନ ଖାଇ ସାରିଥିଲେ ରସଗୋଲା ।
ଦାଣ୍ଡି ରାମାୟଣ ରସଗୋଲାର ଓଡିଆ ଉତ୍ପତ୍ତି ବିଷୟରେ ମିଛରେ ଉପୁଜି ଥିବା ସମସ୍ତ ସନ୍ଦେହକୁ ଦୂର କରିଥିଲା | ରସଗୋଲା ଓଡ଼ିଶାର, ବର୍ତ୍ତମାନ ଏହା GI ଟ୍ୟାଗ୍ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏକ ପ୍ରମାଣିତ ତଥ୍ୟ ।
ଦାଣ୍ଡି ରାମାୟଣରେ ଉଲ୍ଲେଖ ହେବା ପୂର୍ବରୁ ରସାଗୋଲା ନିଶ୍ଚିତ ଭାବରେ ଓଡିଆ ଖନ୍ଦାଶାଳରେ ପ୍ରସ୍ତୁତ ହେଉଥିଲା । ନଚେତ ବଳରାମ ଦାସ ତାଙ୍କ ରାମାୟଣରେ ଏହାର ଉଲ୍ଲେଖ କରି ନଥାନ୍ତେ । ଛେନାରୁ ପ୍ରସ୍ତୁତ ମିଷ୍ଟାନ୍ନ ସବୁବେଳେ ଓଡ଼ିଆଙ୍କ ପ୍ରିୟ । ପଞ୍ଚଦଶ ଶତାବ୍ଦୀର ଓଡିଆ ଆଦିକବି ସାରଳା ଦାସଙ୍କ ଦ୍ୱାରା ରଚିତ ମହାଭାରତରେ ଛେନା ଏବଂ ସେଥିରୁ ପ୍ରସ୍ତୁତ ସୁସ୍ୱାଦୁ ମିଷ୍ଟାନ୍ନର ବର୍ଣନା ଅଛି । ସାରଳା ମହାଭାରତର ‘ମଧ୍ୟ ପର୍ବ’ରେ ମାତା କୁନ୍ତୀ ଶ୍ରୀକୃଷ୍ଣଙ୍କୁ ଛେନାରୁ ପ୍ରସ୍ତୁତ ଅନେକ ସୁସ୍ବାଦୁ ଖାଦ୍ୟ ପରିବେଷଣ କରିଥିବା କଥା ଉଲ୍ଲେଖ ଅଛି ।
ଏବେକା ରସଗୋଲା ଚିନି ସିରାରେ ଭାସୁଛି । ଭାରତରେ ଚିନି ତିଆରି ହେବାର ବହୁ ପୂର୍ବରୁ ରସଗୋଲା ଓଡିଶାରେ ଥିଲା। ଗୁଡ଼ରେ ତିଆରି ହେଉଥିଲା ରସଗୋଲା । ଶହ ଶହ ବର୍ଷ ହେଲା ମହାପ୍ରଭୁ ଶ୍ରୀ ଜଗନ୍ନାଥ ନୀଳାଦ୍ରୀ ବିଜେ ଦିନ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ବ୍ୟବହାର କରନ୍ତି | ଏହା ସ୍ପଷ୍ଟ ଭାବରେ ପ୍ରମାଣ କରେ ଯେ ଓଡ଼ିଶା ହେଉଛି ରସଗୋଲାର ଉତ୍ପତ୍ତି ସ୍ଥାନ । ରସଗୋଲାକୁ ନିଜର ଐତିହ୍ୟ ବୋଲି ଗର୍ବର ସହ କହିବା ପାଇଁ ଆମେ ଓଡିଆମାନେ ୨୦୧୫ ନବକଳେବର ବର୍ଷଠାରୁ ନୀଳାଦ୍ରୀ ବିଜେ ଦିନକୁ ରସଗୋଲା ଦିବସ ଭାବରେ ପାଳନ କରୁଛୁ ।