
ଭୁବନେଶ୍ୱର: ପେସେଣ୍ଟ ଥାର୍ଟି ୱାନ ଭଳି ହୁଅ ନାହିଁ । ଦକ୍ଷିଣ କୋରିଆର ଜଣେ ବ୍ୟକ୍ତି ୧୧୬୦ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ । ତେଣୁ କୋରିଆର ସେ ପେସେଣ୍ଟ ୩୧ ଭଳି କାର୍ଯ୍ୟ କରନ୍ତୁ ନାହିଁ । ତୁରନ୍ତ ୧୦୪କୁ ଜଣାଇଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । ପେସେଣ୍ଟ ୩୧ ହୁଅନ୍ତୁ ନାହିଁ କି ଦ୍ରୁତ ସଂକ୍ରମଣ କରନ୍ତୁ ନାହିଁ ବୋଲି ଆହ୍ୱାନ କରିଛନ୍ତି କୋଭିଡ-୧୯ର ମୁଖପାତ୍ର ସୁବ୍ରତ ବାଗଚୀ ।
ଏହାସହ ସେ ଆହୁରି କହିଛନ୍ତି, ଗତକାଲି ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ୩ଟି ହସ୍ପିଟାଲ ବୁଲିବୁଲି ଯାଇଛନ୍ତି । ସେହିପରି ଓଡ଼ିଶାରେ ୩ଜଣ ଯାକ ଆକ୍ରାନ୍ତ ଭୁବନେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି । ପୂର୍ବରୁ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ରାଜ୍ୟରେ ୨୫୬ଟି ନମୁନାରୁ ୧୮୯ଟି ନମୁନାର ରିପୋର୍ଟ ଆସିଛି ବୋଲି ସେ କହିଛନ୍ତି ।
ଅପରାହ୍ନ ୨ଟା ୨୫ସୁଦ୍ଧା ୧୮୯ଟି ଦେଶରେ କରୋନା ପହଞ୍ଚିଛି । ଭାରତରେ ୭୫୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଆମେରିକା ସବୁଠୁ ଆଗରେ ପହଞ୍ଚିଛି ବୋଲି ବାଗଚୀ କହିଛନ୍ତି ।
