ଅର୍ଗସ ବ୍ୟୁରୋ : ସୁପ୍ରିମକୋର୍ଟ ରାୟ ପରେ ପ୍ରବାସୀଙ୍କୁ ନେଇ ଓଡିଶାକୁ ଆସିବ ଟ୍ରେନ । ଏଥିପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଟ୍ରେନ ଏବେ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ଗୁଜୁରାଟର ଅହମଦାବାଦ, ଓ ସୁରତରୁ ଆସିବ। ଏହି ସବୁ ଟ୍ରେନ୍ ଗୁଡ଼ିକ ଆସନ୍ତା କାଲି ଆସି ପହଞ୍ଚିବ। ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଯେଉଁମାନେ ଚାହିଁବେ ଟ୍ରେନ୍ ବ୍ୟତୀତ ନିଜସ୍ୱ ବ୍ୟବସ୍ଥାରେ ମଧ୍ୟ ଆସିପାରିବେ । ତେବେ ଏଥିପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ଜରୁରୀ ।
ତେବେ ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସରକାରଙ୍କୁ ଘେରିଥିଲେ। ଏହା ଉପରେ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ଦେବାକୁ ଯାଇ କହିଛନ୍ତି ଯେ, ରାଜ୍ୟ ସରକାର ସବୁ ବ୍ୟବସ୍ଥା କରୁଛନ୍ତି। ଯେଉଁମାନେ ଏମିତି କହୁଛନ୍ତି ସେମାନେ ରାଜନୀତି କରିବା ପାଇଁ ଏମିତି କହୁଛନ୍ତି। ରାଜ୍ୟ ସରକାରଙ୍କ ଆନ୍ତରିକତା ରହିଛି। ସରକାର ସ୍ଥିତି ଉପରେ ନଜର ରଖିବା ସହ ପଦକ୍ଷେପ ନେଉଛନ୍ତି। ସବୁ ବ୍ୟବସ୍ଥା ମଧ୍ୟ କରାଯାଉଛି। ଯେଉଁ ପ୍ରକ୍ରିୟାରେ ଲୋକ ଆସୁଛନ୍ତି ସେହି ପ୍ରକ୍ରିୟାରେ ଲୋକମାନେ ଆସିବେ। ଏଥିରେ କୌଣସି ରାଜନୀତି ନାହିଁ।
