ବାଲେଶ୍ୱର : ଗତକାଲି ବାଲେଶ୍ୱର ସହରରୁ ଜଣେ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାପରେ ଜିଲ୍ଲା ପ୍ରଶାସନ ସଂପୃକ୍ତ ଅଞ୍ଚଳକୁ ସିଲ୍ କରି ୩ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି। ବାଲେଶ୍ଵର ସହରର ୨୭ ନଂ ୱାର୍ଡକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଥିବା ବେଳେ ୨୮ ଓ ୨୯ ନମ୍ବର ୱାର୍ଡର ଆଂଶିକ ଅଞ୍ଚଳ ସିଲ୍ କରାଯାଇଛି। ସଂପୃକ୍ତ ୩ଟି ୱାର୍ଡର ୯ଟି ପ୍ରବେଶପଥକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଏତଦ୍ ବ୍ୟତୀତ ସଂପୃକ୍ତ କଣ୍ଟେନମେଣ୍ଟ ଅଞ୍ଚଳରୁ ୫ ଶହ ପରିବାରର ସ୍ୱାବ୍ ସଂଗ୍ରହ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଘରୁ କୌଣସି ବ୍ୟକ୍ତି ନ ବାହାରିବାକୁ ମାଇକ୍ ଯୋଗେ ପ୍ରଚାର କରାଯାଉଛି।
ସୂଚନାନୁଯାୟୀ, ଗତକାଲି ବାଲେଶ୍ୱର ଜିଲ୍ଲାରେ ପ୍ରଥମ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଠାରୁ ସ୍ବାବ୍ ସଂଗ୍ରହ କରାଯାଇ କୋଭିଡ-19 ଟେଷ୍ଟ କରାଯିବ। ତେବେ ଗତକାଲି ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 61 ଛୁଇଁଛି। ସେପଟେ ଗତକାଲି ଆଉ 3 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି କ୍ରମରେ ରାଜ୍ୟରେ ଏବେ 36 ଜଣ କୋରୋନା ରୋଗୀ ଚିକିତ୍ସିତ ହେଉଥିବା ବେଳେ 24 ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।
