ଭୁବନେଶ୍ଵର : ବିଦେଶରୁ ଏବଂ କୋରୋନା ପ୍ରଭାବିତ ଅଂଚଳରୁ ଆସିଥିବା ଲୋକମାନଙ୍କୁ ତୁରନ୍ତ ଚିହ୍ନଟ କରିବାକୁ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିଶନରଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ । ଗତ 14 ଦିନ ମଧ୍ୟରେ ଓଡିଶାକୁ ବିଦେଶରୁ ଏବଂ ଦେଶର କୋରୋନା ପ୍ରଭାବିତ ବିଭିନ୍ନ ଅଂଚଳରୁ ଆସିଥିବା 2856 ଜଣ ଲୋକଙ୍କୁ ଏ ପର୍ଯ୍ୟନ୍ତ ଠାବ କରାଯାଇପାରି ନାହିଁ । ସେମାନଙ୍କ ସହ କୌଣସି ଯୋଗାଯୋଗ ମଧ୍ୟ ହୋଇପାରି ନାହିଁ । ତେଣୁ ତୁରନ୍ତ ସେମାନଙ୍କ ସହ ଯୋଗାଯୋଗ କରିବାକୁ ନିର୍ଦେଶ ଦିଆଯାଇଛି ।
ମୁଖ୍ୟତଃ ତିନୋଟି ଦିଗ ଉପରେ ଗୁରୁତ୍ୱ ଦେବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି । ପ୍ରଥମତଃ ଯେଉଁମାନେ ବିଦେଶରୁ କିମ୍ବା ଅନ୍ୟ ରାଜ୍ୟରୁ ଆସିଛନ୍ତି, ସେମାନଙ୍କ ଦେହରେ କୋରୋନାର କୌଣସି ଲକ୍ଷଣ ଥାଉ ବା ନଥାଉ, ସେମାନଙ୍କୁ ଚିହ୍ନଟ କରି ତୁରନ୍ତ ହୋମ କ୍ୱାରେଣ୍ଟାଇନରେ ରଖାଯାଉ । ଦ୍ୱିତୀୟତଃ ଆଇସୋଲସନରେ ଥିବା କିମ୍ବା କୋରୋନା ଚିହ୍ନିଟ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଠିକଣା ଖୋଜି ବାହାର କରିବା ସହ ସେମାନଙ୍କୁ ମଧ୍ୟ ହୋମ କ୍ୱାରେଣ୍ଟାଇନରେ ରଖାଯାଉ । ଏବଂ ତୃତୀୟତଃ ଚିହ୍ନଟ ହୋଇଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଦେହରେ କୋରୋନା ଲକ୍ଷଣ ଥାଉ କି ନଥାଉ, ସେମାନଙ୍କୁ ଠାବ କରି କ୍ୱାରେଣ୍ଟାଇନରେ ରଖିବାକୁ ପଦକ୍ଷପ ନିଆଯାଉ ।
ବାହାରୁ ଆସିଥିବା ଲୋକମାନଙ୍କୁ ଠାବକରି ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବା ହିଁ ହେଉଛି କୋରୋନା ପ୍ରତିଶେଧକ । ବର୍ତ୍ତମାନସୁଦ୍ଧା ଆସିଥିବା ତଥ୍ୟ ଅନୁଯାୟୀ ବାହାରୁ ଆସିଥିବା ରାଜ୍ୟର ଏବେବି 2856 ଜଣ ଲୋକଙ୍କୁ ଠାବ କରାଯାଇପାରି ନାହିଁ । ସେମାନଙ୍କ ମଧ୍ୟରେ କେହି ବି ଯଦି ସଂକ୍ରମିତ ହୋଇଥିବେ ଏବଂ କ୍ୱାରେଣ୍ଟାଇନରେ ନ ରହି ଅନ୍ୟମାନଙ୍କ ସହ ମିଳାମିଶା କରିବେ, ତେବେ କୋରୋନା ଭୂତାଣୁ ସେମାନଙ୍କୁ ମଧ୍ୟ ସଂକ୍ରମିତ ହେବ । ତେଣୁ ସେମାନଙ୍କୁ ତୁରନ୍ତ ଠାବ କରି ହୋମ କ୍ୱାରେଣ୍ଟାଇନରେ ରଖିବାକୁ ନିର୍ଦେଶ ଦିଆଯାଇଛ । ଜିଲ୍ଲାପାଳ ଏବଂ ମ୍ୟୁନିସପାଲିଟ କମିଶନରମାନେ ବ୍ୟକ୍ତିଗତ ଭାବେ ଏହି ଘଟଣାର ତଦାରଖ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।
