ଅର୍ଗସ ବ୍ୟୁରୋ: ବଢ଼ୁଛି ଖରା । ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ରାଜ୍ୟରେ ଧୀରେ ଧୀରେ ବଢ଼ୁଛି ଗ୍ରୀଷ୍ମ ପ୍ରବାହ । ବାହାରକୁ ବାହାରିବା ମୁସକିଲ ହୋଇପଡ଼ୁଛି । ତେବେ ରାଜ୍ୟବାସୀଙ୍କୁ ଖରାରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ ।
ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ହୋଇପାରେ । ଏହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ ଓ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଆଜି ଉପକୂଳ ଓଡ଼ିଶା ସମେତ ନୂଆପଡ଼ା, ବଲାଙ୍ଗୀର, ଝାରସୁଗୁଡ଼ା, ବରଗଡ଼, ସୋନପୁର, ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ କନ୍ଧମାଳ ଆଦି ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ୧୦ ତାରିଖ ଦିନ କିନ୍ତୁ ରାଜ୍ୟର ୭ଟି ଜିଲ୍ଲାରେ କାଳବୈଶାଖୀର ବିତ୍ପାତ ଦେଖିବାକୁ ମିଳିବ । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦କିମି ପର୍ଯ୍ୟନ୍ତ ପହଞ୍ଚିବ। ଏହି ସମୟରେ ବାହାରକୁ ନବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
