ଭୁବନେଶ୍ବର: ଦେଶରେ କରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଜିଲ୍ଲା ଗୁଡିକୁ ତିନୋଟି ଜୋନରେ ବିଭକ୍ତ କରିଛି। ତେବେ ରେଡ୍ ଜୋନରେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ସାମିଲ ହୋଇଛି। ଆଉ ଏଥିପାଇଁ ଏବେ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର।
ଭୁବନେଶ୍ବର ପାଇଁ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ସରକାର। କରୋନା ପାଇଁ ଭୁବନେଶ୍ୱର ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ଟେଷ୍ଟିଂ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।
ଭୁବନେଶ୍ୱରରେ ଟେଷ୍ଟିଂ ପାଇଁ କ୍ୟାମ୍ପ କରାଯିବାକୁ ଯୋଜନା ହୋଇଛି। ବିଭିନ୍ନ ସ୍ଥାନରେ ସ୍ଥାୟୀ ଟେଷ୍ଟିଂ କ୍ୟାମ୍ପ କରାଯିବା ସହ ଭ୍ରାମ୍ୟମାଣ ମୋବାଇଲ କ୍ୟାମ୍ପ ମଧ୍ୟ ଚାଲିବ । ଆସନ୍ତା 7 ଦିନ ଭିତରେ ଭୁବନଶ୍ୱରରେ 5 ହଜାର ନମୂନା ଟେଷ୍ଟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଯାବତ ଭୁବନେଶ୍ୱରରେ ୧୯୫୮ଟି ସାମ୍ପଲ ଟେଷ୍ଟ କରାଯାଇଛି। ସେମାନଙ୍କ ଭିତରୁ 46 ଜଣ ଆକ୍ରାନ୍ତ ହୋଇଛନ୍ତି।
ଆଉ ଏମାନଙ୍କ ଭିତରୁ ଅନେକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଭୁବନେଶ୍ଵରରେ ଆଉ ୫ ହଜାର ଟେଷ୍ଟ କରାଗଲେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଲେ। ଏଥିପାଇଁ ଲୋକଙ୍କ ସାହାଯ୍ୟ ଲୋଢିଛନ୍ତି ସରକାର। ଲୋକେ କୁଣ୍ଠିତ ହେଲେ ପୁଲିସର ସାହାଯ୍ୟ ନେବାପାଇଁ ବାଧ୍ୟ ହେବ ପ୍ରଶାସନ। ଲୋକଙ୍କୁ ବୁଝେଇବା ପାଇଁ ସମସ୍ତ କମ୍ୟୁନିଟି ଲିଡରଙ୍କୁ ଆଗେଇ ଆସିବା ପାଇଁ ନିବେଦନ କରିଛନ୍ତି ମୁଖ୍ୟ ଶାସନ ସଚିବ।
ତେବେ ଚାରୋଟି କାଟାଗୋରିରେ ଲୋକଙ୍କୁ ଚୟନ କରାଯାଇ ଟେଷ୍ଟ କରାଯିବ। * ପ୍ରଥମ କାଟାଗୋରି- ଯେଉଁମାନଙ୍କ ଟ୍ରାଭେଲ ହିଷ୍ଟ୍ରି ରହିଛି, ଯେଉଁମାନଙ୍କ ଭିତରେ ଲକ୍ଷଣ ଥିବ, ଯେଉଁମାନେ ପ୍ରାଥମିକ ସ୍ତରରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବେ ଏବଂ ଯେଉଁମାନେ ହଟସ୍ପଟ ଅଞ୍ଚଳରୁ ଆସିଛନ୍ତି ସେମାନଙ୍କୁ ପ୍ରଥମ କାଟାଗୋରିରେ ରଖାଯାଇଛି।
* ଦ୍ଵିତୀୟ କାଟାଗୋରି- କରୋନା ମୁକାବିଲାରେ ସାମିଲ ଖାସକରି ହଟସ୍ପଟ ଅଞ୍ଚଳରେ ସମସ୍ତ ସ୍ୱାସ୍ଥ୍ୟ କର୍ମୀ, ପୁଲିସ କର୍ମଚାରୀ ଏବଂ ସଫେଇ କର୍ମଚାରୀଙ୍କୁ ଦ୍ଵିତୀୟ କାଟାଗୋରିରେ ରଖାଯାଇଛି।
* ତୃତୀୟ କାଟାଗୋରି- 60 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଯେଉଁମାନେ କିଛି ରୋଗରେ ପୀଡ଼ିତ ହୋଇଥିବେ। ସେମାନଙ୍କୁ ତୃତୀୟ କାଟାଗୋରିରେ ରଖାଯାଇଛି।
* ଚତୁର୍ଥ କାଟାଗୋରି- ଏହାବାଦ ରାଣ୍ଡମ ଟେଷ୍ଟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆଉ ଏହାକୁ ଚତୁର୍ଥ କାଟାଗୋରିରେ ରଖାଯାଇଛି।
ବର୍ତ୍ତମାନ ଭୁବନେଶ୍ଵରକୁ ତିନୋଟି ଜୋନରେ ବିଭକ୍ତ କରାଯାଇଛି। ଆଉ ଏହାର ଦାୟିତ୍ଵ ଆଇଏଏସ ଅଧିକାରୀଙ୍କୁ ଦିଆଯାଇଛି। ଏବେ ସମସ୍ତ କଣ୍ଟେନମେଣ୍ଟ୍ ଜୋନରେ ସ୍ୱାସ୍ଥ୍ୟ କର୍ମୀ, ଆଶାକର୍ମୀ ଏବଂ ଅଙ୍ଗନବାଡି କର୍ମୀ ଘରକୁ ଘର ସର୍ଭେ ମଧ୍ୟ ଜାରି ରଖିଛନ୍ତି।
ବର୍ତ୍ତମାନ ରାଜ୍ୟରେ 7577ଟି ନମୂନା ପରୀକ୍ଷା ହୋଇଛି। ସେମାନଙ୍କ ଭିତରୁ 60 ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ 19 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି 40 ଜଣଙ୍କ ବିଭିନ୍ନ କୋଭିଡ-19 ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।