ଅର୍ଗସ ବ୍ୟୁରୋ : ଗୋଟିଏପଟେ କୋରୋନା ସହ ଲଢେଇ କରୁଛି ସାରା ବିଶ୍ୱ । ଅନ୍ୟପଟେ କିନ୍ତୁ ମଦ ବେପାରୀଙ୍କୁ ନାହିଁ କୋରୋନା ଭୟ । ମହାମାରୀ ଭାଇରସ କାୟା ବିସ୍ତାର କରୁଥିବାବେଳେ ସଂକ୍ରମଣ ରୋକିବାକୁ ଦେଶରେ ଲକ ଡାଉନ ଜାରି କରାଯାଇଛି । ମାତ୍ର ଏହାର ସୁଯୋଗ ନେଇ ସକ୍ରିୟ ହୋଇଉଠିଛନ୍ତି କିଛି ଚୋରା ମଦ ବେପାରୀ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ରେଙ୍ଗାଲି ଗାଁରେ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ କରିଛି ଅବକାରୀ ବିଭାଗ । ପ୍ରାୟ ଏକ ହଜାର ଲିଟର ଦେଶୀ ରନ୍ଧା ମଦ ସହ 7 ହଜାର 500 ଲିଟର ମହୁଲ ପୋଚ ଜବତ ହୋଇଥିବା ଜଣାପଡିଛି । ମଦ ବେପାରୀ ଗିରିଧାରୀ ଭୋଇକୁ ଗିରଫ କରିଛି ଅବକାରୀ ବିଭାଗ । ପୂର୍ବରୁ ଏଠାରେ ଅବକାରୀ ବିଭାଗ ବାରମ୍ବାର ଚଢ଼ାଉ କରିଥିଲେ ସୁଦ୍ଧା ଏହି ଗାଁ ମଦର କୁଟୀର ଶିଳ୍ପ ଭାବେ ପରିଚିତ । ଚଢ଼ାଉ ସମୟରେ ଜିଲ୍ଲା ସହକାରୀ ଅବକାରୀ ଅଧିକ୍ଷକ ବି ଆର ବେଶ୍ରାଙ୍କ ନେତୃତ୍ୱରେ ପାଟଣାଗଡ଼ ଅବକାରୀ ବିଭାଗର ଅଧିକାରୀଙ୍କ ସହ ଏକ ଟିମ ଯାଇ ବିଭିନ୍ନ ପ୍ରକାର ସାମଗ୍ରୀ ଜବତ କରିଥିଲେ ।
