ଭୁବନେଶ୍ବର: କୋରୋନା ମହାମାରୀ ବିରୋଧରେ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ପୁଲିସ, ସଫେଇ କର୍ମଚାରୀ, ଗଣମାଧ୍ୟମ କର୍ମଚାରୀଙ୍କ ବ୍ୟତୀତ ସାଧାରଣ ଜନତା ମଧ୍ୟ ଯୁଦ୍ଧ ଲଢୁଛନ୍ତି। ଆଉ ଏହି ଯୁଦ୍ଧରେ ସାମିଲ ହୋଇ ମାନବିକତା ସହ ମହାନତା ଦେଖେଇଛନ୍ତି ରାଜଧାନୀ ଭୁବନେଶ୍ଵରର ଜଣେ ମହିଳା। ଲକଡାଉନର ଏହି ଘଡ଼ିସନ୍ଧିରେ ତାଙ୍କ ଘରେ ଭଡାରେ ରହୁଥିବା 7 ଜଣ ଭଡାଟିଆଙ୍କ ଠାରୁ ସେ ଏକ ମାସର ଭଡା ଛାଡ଼ କରିଛନ୍ତି।
ରାଜଧାନୀ ଭୁବନେଶ୍ଵରର ସୌଦାମିନୀ ସାମନ୍ତରାୟଙ୍କ ଘରେ 7 ଜଣ ଲୋକ ତାଙ୍କ ଘରେ ଭଡାରେ ରୁହନ୍ତି। ବର୍ତ୍ତମାନ କରୋନା ପାଇଁ ଜାରି ହୋଇଥିବା ଲକଡାଉନ କାରଣରୁ ଅନେକ ଲୋକ ନିଜ ଜୀବିକା ମଧ୍ୟ ହରାଉଛନ୍ତି। ଏଭଳି ସମୟରେ ଚଳିବା ଅନେକଙ୍କ ପାଇଁ କଷ୍ଟ ହୋଇଯାଇଛି। ଆଉ ଏହି ସମୟରେ ଲୋକଙ୍କୁ ସାହାଯ୍ୟ ପାଇଁ ହାତ ବଢ଼ାଇବାର ଆବଶ୍ୟକତା ରହିଛି।
ଏହାକୁ ଦୃଷ୍ଟିରେ ରଖି ସୌଦାମିନୀ ସାମନ୍ତରାୟ କହିଛନ୍ତି "ସମସ୍ତଙ୍କ ପାଇଁ ଲକଡାଉନ ଏକ କଠିନ ସମୟ ଦେଇ ଗତି କରୁଛି। ମୋ ଘରେ ଭଡାରେ ରହୁଥିବା ଲୋକମାନେ କିଏ ଛୋଟ ବ୍ୟବସାୟ କରୁଛନ୍ତି ତ ଆଉ କିଏ ଛୋଟ କମ୍ପାନିର କର୍ମଚାରୀ ଅଛନ୍ତି। ତେବେ ଏହି ଘଡ଼ିସନ୍ଧିରେ ଏମାନଙ୍କୁ ସାହାଯ୍ୟ କରିବ ପାଇଁ ମୁଁ ଆଗେଇ ଆସିଲି"।
କହି ରଖୁଛୁ ଯେ କିଛି ଦିନ ପୂର୍ବରୁ ଲକଡାଉନର ଏହି ଘଡିସନ୍ଧିରେ ଭଡାଟିଆଙ୍କ ଠାରୁ ଘରଭଡା ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଥିଲେ। କେବଳ ରାଜ୍ୟ ନୁହେଁ ବରଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ନିବେଦନ କରାଯାଇଥିଲା।
