ପୁରୀ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଜି ହେଉଛି ରଥନିର୍ମାଣର ଦ୍ୱିତୀୟ ଦିନ । ଆଜି ସକାଳୁ ରଥଖଳାରେ ନିୟୋଜିତ ସମସ୍ତ ସେବାୟତ ରଥନିର୍ମାଣ କାମ ଜାରି ରଖିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଚକ ପାଇଁ ତୁମ୍ଭ କାମ ଜାରି ରହିଛି । ଗତକାଲି ବିଶ୍ୱକର୍ମା ମହାରଣାମାନେ ମାହାର୍ଦ୍ଦ ଓ ଶ୍ରୀଫଳ ଭାଙ୍ଗି ମହାପ୍ରଭୁଙ୍କ ରଥନିର୍ମାଣ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏପଟେ ୨ଶହ ଫୁଟର ନିଷିଦ୍ଧାଞ୍ଚଳ ମଧ୍ୟରେ ଲକଡ଼ାଉନର ସମସ୍ତ କଟକଣାକୁ ମାନି ରଥ ନିର୍ମାଣ ଜାରି ରହିଛି । ସମସ୍ତ ରଥକାମରେ ନିୟୋଜିତ ବିଶ୍ୱକର୍ମାଙ୍କୁ ଭକ୍ତନିବାସରେ ରଖାଯାଇ ରଥନିର୍ମାଣ କରାଯିବା ସହ ସେମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ହେବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।
ଅନେକ ଦିନର ବିଳମ୍ୱ ହୋଇଥିବରୁ ରଥନିର୍ମାଣକୁ ତ୍ୱରାନ୍ୱିତ କରିବାକୁ ଲାଗି ପଡ଼ିଛନ୍ତି ମହାରଣା, ରୂପକାର, ଭୋଇ ସେବାୟତ । ରଥନିର୍ମାଣ ପାଇଁ କୋଭିଡ଼-୧୯ର ସମସ୍ତ କଟକଣାକୁ ପାଳନ କରିବା ସହ ରଥକାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେଇଛି ପ୍ରଶାସନ । ସମଗ୍ର ରଥଖଳାକୁ ଆଦୃତ ରଖାଯାଇ ବିଶ୍ୱକର୍ମାଙ୍କୁ ମାସ୍କ, ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତା ରଖାଯାଇ ରଥନିର୍ମାଣ ହେଉଛି । ଏଥିପାଇଁ ପ୍ରାୟ ୧୫୦ ଜଣ ରଥକାର୍ଯ୍ୟରେ ନିୟୋଜିତ ସେବାୟତ ଘରକୁ ନଯାଇ ଭକ୍ତ ନିବାସରେ ରହି ରଥକାମ କରିବାକୁ ପ୍ରସ୍ତାବ ଦିଆଯାଇଛି। ସେମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସହ ସେମାନଙ୍କର ଖାଇବା ଓ ରହିବା ଖର୍ଚ୍ଚ ପ୍ରଶାସନ ବହନ କରିବ। ଏହାସହ ଅଧିକ ପାରିଶ୍ରମିକ ମଧ୍ୟ ଦିଆଯିବ। ସେହିପରି ରଥଖଳାକୁ ଗଣମାଧ୍ୟମର ପ୍ରବେଶ ଉପରେ କଟକଣା ଲଗାଯାଇଛି।
