ଭୁବନେଶ୍ୱର: କ୍ୱାରେଣ୍ଟାଇନ୍ ବା ସଙ୍ଗରୋଧରେ ରହିଛନ୍ତି ରାଜଧାନୀ ଭୁବନେଶ୍ୱରର ୧ ହଜାରରୁ ଉର୍ଦ୍ଧ୍ୱ କରୋନା ସନ୍ଦିଗ୍ଧ । ବିଶ୍ୱ ମହାମାରୀ ପାଲଟିଥିବା ନୋଭେଲ କରୋନା ବା କୋଭିଡ୍ -୧୯ର ଆତଙ୍କକୁ ଶେଷ କରିବା ପାଇଁ ଅଦ୍ୟାବଧି କୌଣସି ପ୍ରତିଷେଧକ ବାହାରି ନିଥିବାରୁ ସଙ୍ଗରୋଧ ତଥା ଏକାନ୍ତବାସ ହିଁ ପାଲଟିଛି ଏଥିରୁ ରକ୍ଷା ପାଇବାର ଏକମାତ୍ର ଉପାୟ । ବିଶେଷ କରି ଯେଉଁମାନେ ବାହାର ରାଜ୍ୟ ଓ ବିଦେଶରୁ ଫେରିଛନ୍ତି ସେମାନଙ୍କ କ୍ଷେତ୍ରରେ ସଂକ୍ରମଣର ଆଶଙ୍କା ଅଧିକ ଥିବାରୁ ଏବଂ ସଂକ୍ରମଣର ଲକ୍ଷଣସବୁ ଦେଖା ଦେବା ପାଇଁ ପ୍ରାୟ ଦୁଇ ସପ୍ତାହ ସମୟ ଲାଗୁଥିବାରୁ ସେହି ଲୋକମାନେ କ୍ୱାରେଣ୍ଟାଇନ୍ରେ ରହିବାର ନିହାତି ଆବଶ୍ୟକତା ରହିଛି ।
ସେଥିପାଇଁ ରାଜ୍ୟ ସରକାର ହେଲ୍ପ ଲାଇନ୍ ନମ୍ବର ଦ୍ୱାରା କିମ୍ବା ଅନଲାଇନ୍ ପଂଜିକରଣ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ନିର୍ଦ୍ଦେଶ ନମାନିଲେ ବା ବାହାରୁ ଆସିଥିବାର ତଥ୍ୟ ଲୁଚେଇଲେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀର ଅନେକ ସଚେତନ ନାଗରୀକ ନିଜ ଆଡୁ ନାମ ପଂଜିକରଣ କରି ବିଭିନ୍ନ ସ୍ଥାନରେ କ୍ୱାରାଂଟାଇନ୍ରେ ରହିଛନ୍ତି । ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ଭୁବନେଶ୍ୱର ମହାନଗର ନିଗମ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ଏବଂ ସେ ବାବଦରେ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି ।
ତଥ୍ୟ ଅନୁସାରେ ଏ ପର୍ଯ୍ୟନ୍ତ ୧ ହଜାର ସନ୍ଦିଗ୍ଧ ନିଜ ଘରେ ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ସରକାରୀ ଗେଷ୍ଟ ହାଉସ୍ରେ ୨୫ ଜଣ, ଭୁବନେଶ୍ୱରର ୧୨ଟି ହୋଟେଲରେ ୧୫ ଜଣ ରହିଛନ୍ତି । ସଂକ୍ରମଣ ରୋକିବା ଓ କରୋନାର ଲକ୍ଷଣ ଦେଖା ଯାଉଥିବା ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ବିଏମ୍ସି ବିଭିନ୍ନ ପ୍ରାଇଭେଟ୍ ହୋଟେଲ, କମ୍ୟୁନିଟି ସେଂଟର୍, କଲ୍ୟାଣ ମଣ୍ଡପଗୁଡ଼ିକରେ କ୍ୱାରେଣ୍ଟାଇନ୍ କେନ୍ଦ୍ର ଖୋଲିଛନ୍ତି ଯେଉଁଠି ଗାଇଡ୍ଲାଇନ୍ ଅନୁସାରେ ୧୪ ଦିନ ଆସୋଲେସନ୍ରେ ରହିବା ବାଧ୍ୟତାମୂଳକ ।
ବିଏମ୍ସିର ସ୍ୱତନ୍ତ୍ର ଟିମ୍ ସନ୍ଦିଗ୍ଧଙ୍କ ସହ ନିୟମିତ ଯୋଗାଯୋଗରେ ରହି ସେମାନେ ନିୟମ ପାଳନ କରୁଛନ୍ତି କି ନାହିଁ ତଦାରଖ କରୁଛନ୍ତି । ଏକ ଡାକ୍ତରୀ ଦଳ ଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ କରାଯାଉଛି । ତେବେ ଯେଉଁ ସନ୍ଦିଗ୍ଧମାନେ ନିଜେ ଅର୍ଥ ଖର୍ଚ୍ଚ କରି ବିଭିନ୍ନ ଘରୋଇ ହୋଟେଲରେ କ୍ୱାରେଣ୍ଟାଇନ୍ରେ ରହିବାକୁ ଚାହୁଛନ୍ତି ସେମାନେ ସରକାରୀ ଅନୁମୋଦିତ ହୋଟେଲରେ ଦୈନିକ ୩ ଶହରୁ ୨୫ ଶହ ଟଙ୍କା ଭଡ଼ା ଦେଇ ରହିପାରିବେ । ସେମାନଙ୍କୁ ସକାଳ ଜଳଖିଆ, ଖରାବେଳ ଓ ରାତି ଭୋଜନ ସହିତ ଦୁଇଟି ପାଣି ବୋତଲ ଦିଆଯବାର ସୁବିଧା କରାଯାଇଛି । ସମ୍ପୃକ୍ତ ହୋଟେଲ ମଧ୍ୟ କରୋନା ସଂକ୍ରମଣ ସମ୍ପର୍କିତ ସମସ୍ତ ସରକାରୀ ନୀତି ନିୟମ ପାଳନ କରିବାକୁ କଡ଼ା ନିୟମ ରହିଛି ।
