ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଦ୍ରୁତଗତିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗୁରୁବାର ଦିନ ଆହୁରି 6 ଜଣଙ୍କଠାରେ କୋରୋନା ପଜେଟିଭ୍ ରହିଥିବା ସାମ୍ନାକୁ ଆସିଛି । ଏହାକୁ ମିସାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 48ରେ ପହଞ୍ଚିଛି ।
ଗୁରୁବାର ଦିନକରେ ମୋଟ ୬ ଜଣଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ୪୮ ଜଣଙ୍କ ମଧ୍ୟରୁ ୪୫ ଜଣଙ୍କଠାରେ କୋରୋନା ସକ୍ରିୟ ରହିଛି। ଅନ୍ୟପକ୍ଷରେ ୨ ଜଣ ସୁସ୍ଥ ଅଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି।
ତେବେ ଏଥର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ୱିଟରରେ ଏହା ପ୍ରକାଶ କରାଯାଇଛି । ଏହି ଟ୍ୱିଟର ହ୍ୟାଣ୍ଡଲରେ ଶେଷଥର ପାଇଁ ୪୦୦୦ ଟେଷ୍ଟ ପାଇଁ କିଟ୍ ଏବଂ ଅନ୍ୟ ଜରୁରୀକାଳୀନ ସାମଗ୍ରୀ ଏୟାର କାର୍ଗୋ ଜରିଆରେ ଓଡ଼ିଶା ପହଞ୍ଚିଥିବା ବିଷୟରେ ଟ୍ୱିଟ୍ କରାଯାଇଛି। ଅନ୍ୟପକ୍ଷରେ ସୂଚନା ଓ ପ୍ରସାରଣ ବିଭାଗର ଟ୍ୱିଟର ହ୍ୟାଣ୍ଡଲ ରାତି ୧୨.୩୪ରେ କୋରୋନା ଆକ୍ରାନ୍ତ ସମ୍ପର୍କିତ ଖବର ବାବଦରେ ଟ୍ୱିଟ୍ କରାଯାଇଛି।
ସୂଚନା ଓ ପ୍ରସାରଣ ବିଭାଗର ଟ୍ୱିଟ୍ ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟ୍ରେ ନୂଆ ୪ ଆକ୍ରାନ୍ତଙ୍କ ବାବଦରେ ତଥ୍ୟ ଦିଆଯାଇଥିଲା। ଏହି ତଥ୍ୟ ଅନୁଯାୟୀ, ୯ ତାରିଖରେ ମୋଟ ୪୦୮ ନମୁନା ପରୀକ୍ଷା କରାଯାଇଥିଲା। ଏଥିରୁ ୪୦୨ଟି ନେଗେଟିଭ୍ ଏବଂ ୬ଟି ପଜିଟିଭ୍ ଆସିଛି। ବର୍ତ୍ତମାନ ଟେଷ୍ଟିଂ କିଟ୍ ଆସିଯାଇଥିବାରୁ କୋରୋନା ପରୀକ୍ଷାର ମାତ୍ରା ବଢ଼ିବ ବୋଲି କୁହାଯାଉଛି।
