ଭୁବନେଶ୍ୱର :ଗତ ଗୁରୁବାର ଭୁବନେଶ୍ୱରରେ ଆଉ ଜଣେ କୋରୋନା ରୋଗୀ ଚିହ୍ନଟ ହେବା ପରେ ଓଡିଶାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଁଚିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି। ତେବେ ତୃତୀୟ କରୋନା ଆକ୍ରାନ୍ତ ଭୁବନେଶ୍ଵରର। ତାଙ୍କ ବୟସ ୬୦ ବର୍ଷ ବୋଲି ଜଣାପଡ଼ିଛି। ତାଙ୍କୁ ଏବେ କ୍ୟାପିଟାଲ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି। ସେପଟେ ରୋଗୀଙ୍କ କଣ୍ଟାକ୍ଟରେ ଆସିଥିବା ଭୁବନେଶ୍ୱର ସ୍ଥିତ କର କ୍ଲିନିକ ନଯିବାକୁ ପରାମର୍ଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏବେ ଉକ୍ତ ବ୍ୟକ୍ତି କେତେଜଣଙ୍କ ସଂସ୍ପର୍ଶରେ ଆସିଥିଲେ, ତାହା ଯାଂଚ୍ କରି ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ତୃତୀୟ ଆକ୍ରାନ୍ତଙ୍କ କଂଟାକ୍ଟ ହିଷ୍ଟ୍ରି ଆଧାରରେ ସ୍ୱାସ୍ଥ୍ୟ ବିଭାଗ ଏହି ପରାମର୍ଶ ଦେଇଛି ।
ସଂକ୍ରମିତଙ୍କ କଂଟାକ୍ଟ ହିଷ୍ଟ୍ରି ତଥ୍ୟ ଅନୁଯାୟୀ, ସେ ମାର୍ଚ୍ଚ ୧୦ ତାରିଖ ସନ୍ଧ୍ୟା ୭ଟାରେ ଇଣ୍ଡିଗୋ ବିମାନ ଯୋଗେ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଁଚିଥିଲେ। ୨୧ ତାରିଖରେ ସେ ଭୁବନେଶ୍ଵର ସ୍ଥିତ କର କ୍ଲିନିକର ବର୍ହିବିଭାଗରେ ଚିକିତ୍ସିତ ହୋଇଥିଲେ । ତାପରେ ୨୪ ତାରିଖରେ ଆଡମିଟ୍ ହେବା ସହ ଗୋଟିଏ ଦିନ ଆଇସିୟୁରେ ରହିଥିଲେ। ତେଣୁ କର କ୍ଲିନିକର ଉଭୟ ବର୍ହିବିଭାଗ ଓ ଅନ୍ତବିର୍ଭାଗକୁ ରୋଗୀ ନିଯବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର, ନର୍ସ ଓ ଅନ୍ୟ ଆଟେଣ୍ଡାଟମାନଙ୍କୁ ଆଇସୋଲେସନରେ ରଖିବା ପାଇଁ କୁହାଯାଇଛି ।
