ଯାଜପୁର : ମହାମାରୀ କୋରୋନା ପାଇଁ ସାରା ବିଶ୍ୱ ବଞ୍ଚିବାକୁ ଲଢେଇ କରୁଥିବାବେଳେ ସରକାର ଲକ ଡାଉନ ଜାରି କରି ସଂକ୍ରମଣକୁ ରୋକିବାକୁ ପ୍ରୟାସ ଜାରି ରଖିଛନ୍ତି । ମାତ୍ର ଏହି ଲକଡାଉନ ପ୍ରଭାବ ସିଧା ଚାଷୀ କୂଳକୁ ଶକ୍ତ ଆଘାତ ଦେଇଛି । ଯାହାଫଳରେ ଅମଳ ଫସଲକୁ ବିକ୍ରି କରିନପାରି ଫଳନ୍ତି ଫସଲ ଏବେ ନଷ୍ଟ ହେଉଥିବା ଦେଖି ହତାଶ ହୋଇପଡିଛନ୍ତି ପୋଟଳ ଚାଷୀ । କୋରୋନା ଆଣିଦେଇଛି ଲୋକଙ୍କ ପାଇଁ ଅନେକ ଦୁଃଖ । କିଏ ଜୀବିକା ହରାଇଛି ତ କାହାର ବର୍ଷକର ପରିଶ୍ରମ ପାଣିରେ ମିଳେଇ ଯାଇଛି । ଆଉ ଲକଡାଉନ ପରେ ବସି ଖାଇ ନଈ ବାଲି ସରେ ଭଳି ଲୋକଙ୍କ ପରିସ୍ଥିତି ହୋଇଛି । ତାଲା ବନ୍ଦ ଯୋଗୁଁ ଜୀବନଯାତ୍ରା ଠପ ହୋଇଯାଇଥିବା ବେଳେ ଚିନ୍ତାରେ ପଡିଯାଇଛନ୍ତି ପୋଟଳ ଚାଷୀ । ହଜାର ହଜାର ଏକରରେ ଚାଷ ହୋଇଥିବା ରବି ଫସଲ ବିକ୍ରି ହୋଇନପାରି ଆଖି ଆଗରେ ନଷ୍ଟ ହୋଇଯିବା ଦେଖି ହତାଶ ହୋଇପଡିଛନ୍ତି । ଏକ ଗୁଣ୍ଠ ଜମିରେ ପୋଟଳ ଚାଷ ପାଇଁ 2ହଜାର ଟଙ୍କାରୁ ଅଧିଜ ଖର୍ଚ୍ଚ ହେଉଥିବାବେଳେ ଗୁଣ୍ଠ ପ୍ରତି 5 ହଜାରରୁ 7 ହଜାର ଟଙ୍କା ଲାଭ ପାଇଥାଆନ୍ତି । କିନ୍ତୁ ଲକ ଡାଉନ ଯୋଗୁଁ ଗାଡ଼ି ମୋଟର ସବୁ ବନ୍ଦ ରହିଛି । ଫଳରେ ଚାଷୀମାନେ ପୋଟଳ ବିକ୍ରି ପାଇଁ କେଉଁଆଡେ ଯାଇ ପାରୁନାହାନ୍ତି । ପୋଟଳ ଗୁଡିକୁ ଗାଁରେ 10ରୁ 15ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଧାର କରଜ କରି ଚାଷ କରିଥିବା ପୋଟଳ ପାଇଁ ସାହୁକାର ଋଣ କିପରି ସୁଝିବେ ଆଉ ପରିବାର କିପରି ଚଳାଇବେ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଚାଷୀ ।
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର କୋଲଣଗିରି, ରଇପୁର, ସାଉଡ଼ିଆ, ବରପଦା, ବଡ଼ ବାଲିକୁଦା ଓ ମଝିପଡ଼ା ପଞ୍ଚାୟତବାସୀ ପୋଟଳ ଚାଷ ଉପରେ ନିର୍ଭର କରିଥାନ୍ତି । ଚାଷୀମାନେ ପାଖାପାଖି 2ଶହରୁ ଅଧିକ ଜମିରେ ପୋଟଳ ଚାଷ କରିଥାନ୍ତି । ସ୍ଥାନୀୟ ଅଞ୍ଚଳରୁ ଟ୍ରିପ ଟ୍ରିପ ପୋଟଳ କଟକ, ଭୁବନେଶ୍ୱର ସମେତ କୋଲକତା, ରାଞ୍ଚି, ଟାଟା, ସମ୍ବଲପୁର ଓ ରାଉରକେଲାକୁ ଚାଲାଣ କରିଥାନ୍ତି । ମାତ୍ର ଏବେ କୋରୋନା ସବୁ ପୋଟଳ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଏବେ ମହାମାରୀ କୋରୋନା ସାରା ବିଶ୍ୱରେ ଆତଙ୍କ ଖେଳିଥିବାବେଳେ ସମ୍ପୂର୍ଣ୍ଣ ଭାରତ ଏବେ ଲକ ଡାଉନରେ । ଏଭଳି ମହାବିପତ୍ତି ସମୟରେ କୃଷିକୁ ନେଇ ଅନେକ ପରିବାର ବା ପେଟକୁ ଦାନାକନା ପାଉଥିବାବେଳେ ଆଖି ଆଗରେ ବେଉସା ବୁଡିଯାଉଥିବା ଦେଖି ମୁଣ୍ଡରେ ହାତ ଦେଇ ବସିଛି ଚାଷୀ କୂଳ । ସେପଟେ ସହରରେ ପରିବା ଅଭାବ ଯୋଗୁଁ, ଚଢାଦରରେ ବିକ୍ରି ହେଉଛି ।
