ଅନୁଭବ ଜାରି କରିଥିବା ପ୍ରେସ ବିବୃତିରେ କହିଛନ୍ତି ଯେ ବିବାହ ସ୍ବର୍ଗରେ ସ୍ଥିର କରାଯାଏ ବୋଲି କୁହାଯାଉଥିଲେ ବି ଅନେକ ବିବାହ ଅସଫଳ ବି ହୋଇଥାଏ। ମୋ ବିବାହ ସେହିଭଳି ପ୍ରଥମ ବିବାହ ନୁହେଁ କି ଶେଷ ବି ହେବ ନାହିଁ। ବର୍ଷାଙ୍କୁ ମୁଁ ଢେର୍ ଭଲ ପାଉଥିଲି ଓ ଜଣେ ସଫଳ ମହିଳା ହୋଇଥିବାରୁ ମୁଁ ତାଙ୍କୁ ଗଭୀର ସମ୍ମାନ ବି କରେ। ମୋ ବିବାହର ସ୍ଥିତି ଦୀର୍ଘଦିନରୁ ଖରାପ ରହିଛି। ନିଜ ସାଧ୍ୟମତେ ମୁଁ ତାକୁ ସଜାଡ଼ିବା ପାଇଁ ଚେଷ୍ଟାକରି ବିଫଳ ହେବା ପରେ ଆପୋସ ବୁଝାମଣାରେ ବିବାହ ବିଚ୍ଛେଦ କରିବାକୁ ମୁଁ ଓ ମୋ ପରିବାର ଚାହିଁଥିଲୁ। ଏଥିରେ ବିଫଳ ହେବାରୁ ମୁଁ ବାଧ୍ୟହୋଇ ଗତ ଜୁଲାଇ ମାସରେ ବିବାହ ବିଚ୍ଛେଦ ପାଇଁ ଅଦାଲତଙ୍କ ଆଶ୍ରୟ ନେଇଥିଲି। ଜଣେ ମହିଳା ଭାବେ ଓ ଜଣେ ବ୍ୟକ୍ତି ଭାବେ ବର୍ଷାଙ୍କୁ ଢେର୍ ସମ୍ମାନ କରେ ବୋଲି ଏହାକୁ ସର୍ବସାଧାରଣ କରି ନଥିଲି।
ମୋ ବାପାଙ୍କ ସ୍ବାସ୍ଥ୍ୟ ଭଲ ରହୁ ନଥିବାରୁ ବର୍ଷା ଓ ମୋ ବିଚ୍ଛେଦ ଆମ ପରିବାରକୁ ଅତି କଷ୍ଟକର ପରିସ୍ଥିତିରେ ପକାଇଛି। ଏଭଳି ଏକ ଯନ୍ତ୍ରଣାଦାୟକ ସମୟରେ ମୋ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ମନଗଢ଼ା କାହାଣୀ ସୃଷ୍ଟି କରି ପ୍ରଚାର କରାଯାଉଥିବାରୁ ମୋତେ ଅଧିକ କଷ୍ଟ ଦେଉଛି। ଅଦାଲତ, ନ୍ୟାୟ ବ୍ୟବସ୍ଥା ଓ ସବୋର୍ପରି ଈଶ୍ବରଙ୍କ ଉପରେ ମୋର ଢେର୍ ବିଶ୍ବାସ ରହିଛି। ମାମଲା ବିଚାରାଧୀନ ଥିବାରୁ ଏହା ଉପରେ ଅଧିକ ମନ୍ତବ୍ୟ ଦେବାକୁ ଉଚିତ୍ ମନେ କରୁନାହିଁ। ମୋ ପରିବାର ଓ ମୋ ବିରୋଧରେ ଅପପ୍ରଚାର ନ କରିବାକୁ ସମସ୍ତଙ୍କୁ ଅନୁରୋଧ କରୁଛି ବୋଲି ସେ ନିବେଦନ କରିଛନ୍ତି।
ଅନୁଭବ ଆଜି ନିଜ ଟ୍ବିଟ୍ରେ ପ୍ରତି ଘଟଣାରେ ଦୁଇଟି ପକ୍ଷ ଥିବା କଥା ସୂଚାଇ ନିଜ ପ୍ରେସ ଇସ୍ତାହାରକୁ ସଂଲଗ୍ନ କରିଛନ୍ତି। ସେପଟେ ବର୍ଷା ମଧ୍ୟ ଟ୍ବିଟ୍ରେ କହିଛନ୍ତି ଯେ ସତ କେବେ ବି ଲୁଚି ରହିବନାହିଁ। ତାଙ୍କ ସଂପର୍କରେ ଆସୁଥିବା ଅଭିଯୋଗ ଅସତ୍ୟ ଓ ନିରାଧାର। ସେ ଭଗବାନଙ୍କୁ ବିଶ୍ବାସ କରନ୍ତି ଓ ଆଇନର ଉର୍ଧ୍ବରେ କେହି ନାହାନ୍ତି ବୋଲି ସମୟକୁ ଇସାରା ଦେଇଛନ୍ତି। ଏଥିସହିତ ସେ ଏହି କଠିନ ସମୟରେ ସମସ୍ତଙ୍କର ଆଶୀର୍ବାଦ ମଧ୍ୟ କାମନା କରିଛନ୍ତି।