
ବାଙ୍କୀ : ସରପଞ୍ଚଙ୍କ ବେଆଇନ କାମ । ଏପରିକି ପ୍ରତିବାଦ କଲେ ମିଳୁଛି ମାଡ଼ । କଟକ ଜିଲ୍ଲା ବାଙ୍କୀ ବ୍ଲକରେ ନରେଗା କାମ ମେସିନରେ ହେଉଥିବା ନେଇ ପ୍ରତିବାଦ କରିବାକୁ ସୂଚନା ଅଧିକାର କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ହତ୍ୟା ଧମକ ମଧ୍ୟ ଦେଇଛନ୍ତି ସରପଞ୍ଚଙ୍କ ସମର୍ଥକ ।
କଟକ ଜିଲ୍ଲା ବାଙ୍କୀରେ ନରେଗା ଯୋଜନାରେ ଶ୍ରମିକଙ୍କୁ କାମ ନଦେଇ ମେସିନ ଦ୍ୱାରା କାମ କରୁଥିଲେ ଶାସକ ଦଳର ସରପଞ୍ଚଙ୍କ ସହଯୋଗୀ। ଏଥିରେ ସରପଞ୍ଚଙ୍କ ପୂର୍ଣ୍ଣ ସମର୍ଥନ ମିଳୁଥିଲା । ଯାହାକୁ ବିରୋଧ କରି ବାଙ୍କୀ ବ୍ଲକ ପଞ୍ଚାୟତ ଅଫିସରେ ଧାରଣା ଦେବା ସହ ଶ୍ରମିକମାନଙ୍କୁ କାମ ଧନ୍ଦା ଯୋଗାଇବା ଦେବାକୁ ଦାବି କରିଥିଲେ ସୂଚନା ଅଧିକାରୀ କର୍ମୀ ସଞ୍ଜୟ । ଆଉ ତାପରେ ସଞ୍ଜୟଙ୍କୁ ମିଳିଥିଲା ଧମକ । ଏହାପରେ ବୈଦେଶ୍ବର ଥାନାରେ ଅଭିଯୋଗ କରିଛନ୍ତି ସଞ୍ଜୟ ।
ତେବେ ସଞ୍ଜୟ ଅଭିଯୋଗ କରିସାରିଥିବା ପରେ ବି ଏବେଯାଏଁ ହାତ ବାନ୍ଧି ବସିଛି ପୋଲିସ । ଯାହାକି ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶାସକ ଦଳର ନେତାଙ୍କ ସମ୍ପୃକ୍ତି ଯୋଗୁଁ ଭୟ କରୁଛି କି ପୋଲିସ ? ପୋଲିସ ଚୁପ ବସିବା ଦ୍ବାରା ଗୁଣ୍ଡାମାନେ ବେଆଇନ କାମ କରିବାକୁ ଆହୁରି ପ୍ରୋତ୍ସାହିତ ହେଉନାହାଁନ୍ତି କି ? ବେଆଇନ କାମ ତା ସାଙ୍ଗକୁ ଦାଦାଗିରି, ଏହା ପ୍ରଶାସନର ଦୃଷ୍ଟିକୁ ଆସୁନି କେମିତି ?
