ଅର୍ଗସ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଆଜି ଦ୍ୱିତୀୟ ଦିନ । ରଥ ଖଳାରେ ଲାଗି ପଡ଼ିଛନ୍ତି ବିଶ୍ୱକର୍ମା ମହାରଣା, ଭୋଇ ସେବକ ଓ ରୂପକାର ସେବକ । ଏହି ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ନୂଆ ଘୋଷଣା କରାଯାଇଛି । ନୂଆ ନିୟମ ଅନୁସାରେ ରଥ କାର୍ଯ୍ୟରେ ନିୟୋଜିତ ଥିବା ସେବାୟତଙ୍କ ପରିବାର ସଦସ୍ୟଙ୍କ କୋରୋନା ଟେଷ୍ଟ କରାଯିବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ସେବାୟତଙ୍କ ପରିବାର ସଦସ୍ୟଙ୍କର କୋରୋନା ଟେଷ୍ଟ କରିବା ପାଇଁ ପଦକ୍ଷେପ ନେବାକୁ ପୁରୀ ସିଡିଏମଓଙ୍କୁ କୁହାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ।
ସୂଚନା ଅନୁଯାୟୀ ରଥ କାମରେ ନିୟୋଜିତ ସେବାୟତଙ୍କୁ ନିୟମିତ କୋରୋନା ସଚେତନ କରାଯିବ । ରଥ କାମ ଶେଷ ଯାଏଁ ପ୍ରତ୍ୟହ କରୋନା ସମ୍ପର୍କରେ ସଚେତନ କରାଯିବ । ପୁରୀ ଏଡିଏମଓଙ୍କ ନେତୃତ୍ୱାଧୀନ ଡାକ୍ତରୀ ଟିମ ସଚେତନ କରିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ଟି ସ୍ୱାସ୍ଥ୍ୟ ଟିମ ଗଠନ କରାଯାଇଛି । ରଥ ଖଳା, ଭକ୍ତ ନିବାସରେ ସ୍ୱତନ୍ତ୍ର ହେଲଥ ଟିମ ରହିବେ । ମୋବାଇଲ ଟିମ ମଧ୍ୟ ନିୟୋଜିତ ହୋଇ ଆକ୍ଟିଭ ସର୍ଭେଲାନ୍ସ କରିବେ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି ।
